ବଦଳିବ କି ରାଜଧାନୀ ଦିଲ୍ଲୀର ନାଁ…
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଇତିହାସ ହଜାର ବର୍ଷରୁ ଅଧିକ ପୁରୁଣା ହେବା ସହ ଏହା ସଭ୍ୟତା ଏବଂ ପରିବର୍ତ୍ତନର ମଧ୍ୟ ପ୍ରତୀକ ଅଟେ। ଏହାକୁ ଆଗରୁ ଅନେକ ନାମ ମଧ୍ୟ ମିଳିଛି।
ତେବେ ବର୍ତ୍ତମାନ କିଛି ବ୍ୟକ୍ତି ଓ ସଂଗଠନ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି କରୁଥିବା ନେଇ ଶୁଣିବାକୁ ମିଳିଛି। କିଛି ଦିନ ତଳ ବିଶ୍ୱ ହିନ୍ଦୁ ପରିଷଦ (VHP)ର ଦିଲ୍ଲୀ ରାଜ୍ୟ ସମ୍ପାଦକ ସୁରେନ୍ଦ୍ର କୁମାର ଗୁପ୍ତା ମନ୍ତ୍ରୀ କପିଲ ମିଶ୍ରଙ୍କୁ ଚିଠି ଲେଖି ରାଜଧାନୀର ନାମ ଇନ୍ଦ୍ରପ୍ରସ୍ଥ କରିବାକୁ ଦାବି କରିଛନ୍ତି। ଦିଲ୍ଲୀକୁ ଏହାର ପ୍ରାଚୀନ ଇତିହାସ ଏବଂ ସଂସ୍କୃତି ସହିତ ଯୋଡ଼ିବା ପାଇଁ ଏହି ନାମ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏଥିସହିତ ସେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର, ଦିଲ୍ଲୀ ରେଳ ଷ୍ଟେସନ ଏବଂ ଶାହଜାହାନାବାଦ ପୁନଃବିକାଶ ନିଗମକୁ ମଧ୍ୟ ଇନ୍ଦ୍ରପ୍ରସ୍ଥଙ୍କ ନାମରେ ନାମିତ କରିବାକୁ ସୁପାରିଶ କରିଛନ୍ତି। ଅପରପକ୍ଷେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚିଠି ଲେଖି ରାଜଧାନୀର ଇଂରାଜୀ ନାମ ଦିଲ୍ଲୀରୁ ପରିବର୍ତ୍ତନ କରି dilli କରିବାକୁ ଦାବି କରିଛନ୍ତି। ଦିଲ୍ଲୀ ଶବ୍ଦ ସଂସ୍କୃତ ଶବ୍ଦ ଢିଲିକାରୁ ଆସିଛି ଓ ବ୍ରିଟିଶ ଶାସନ ଏହାର ଉଚ୍ଚାରଣ ଏବଂ ସ୍ପେଲିଂ ପରିବର୍ତ୍ତନ କରିଥିବା ନେଇ ସେ ଦାବି କରିଛନ୍ତି। ଯେପରି ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସ୍ଥାନୀୟ ନାମ ଗ୍ରହଣ କରିଥିଲେ, ସେହିପରି ଦିଲ୍ଲୀର ସାଂସ୍କୃତିକ ପରିଚୟ ଏବଂ ସଂଯୋଗକୁ ବଜାୟ ରଖିବା ପାଇଁ ଏହାକୁ ମଧ୍ୟ dilliରେ ପରିବର୍ତ୍ତନ କରାଯିବା ଉଚିତ ବୋଲି ବିଜୟ ଯୁକ୍ତି କରିଛନ୍ତି।
ଏଥିସହିତ ଗୋଏଲ ନଭେମ୍ବର ୧ ରେ ଲଞ୍ଚ ହେବାକୁ ଥିବା ନୂତନ ସରକାରୀ ଲୋଗୋରେ dilli ଶବ୍ଦକୁ ସାମିଲ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।। ଏସବୁକୁ ନେଇ ବର୍ତ୍ତମାନ୍ ସୁଦ୍ଧା କୌଣସି ସରକାରୀ ବିବୃତ୍ତି ଜାରି କରାଯାଇନାହିଁ।

