Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁବାଇରୁ ସୁନା ଆଣିବା ପଡିପାରେ ମହଙ୍ଗା, ଆବଶ୍ୟକରୁ ଅଧିକ ଆଣିଲେ ହୋଇପାରେ ଜେଲ! ଜାଣନ୍ତୁ କଣ ରହିଛି ନିୟମ…

ନୂଆଦିଲ୍ଲୀ,୩୦|୧୦ : ସାଧାରଣତଃ କମ ମୂଲ୍ୟ ଏବଂ ଅସାଧାରଣ କାରିଗରୀ ହେତୁ ଅନେକ ଭାରତୀୟ ଦୁବାଇରୁ ସୁନା କିଣିବାକୁ ପସନ୍ଦ କରିଥାନ୍ତି | ତେବେ ଦୁବାଇରୁ ସୁନା ଆଣିବା ଯେତିକି ସହଜ ମନେହୁଏ, ତାହା ପ୍ରକୃତରେ ସେତିକି ସହଜ ହୋଇ ନଥାଏ | ବିନା ଟିକସ ଦେଇ ଭାରତକୁ କେତେ ସୁନା ଅଣାଯାଇପାରିବ ସେ ବିଷୟରେ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ କଷ୍ଟମ୍ସ ବୋର୍ଡର କଠୋର ନିୟମ ରହିଛି। ଏହି ସୀମାକୁ ଅଣଦେଖା କଲେ ପଡିପାରେ ଭାରୀ ଜୋରିମାନା ଏବଂ ଜେଲଦଣ୍ଡ ମଧ୍ୟ ହୋଇପାରେ।

ସୁନା ପାଇଁ ଟିକସମୁକ୍ତ ସୀମା ଯାତ୍ରୀଙ୍କ ଲିଙ୍ଗ ଏବଂ ବୟସ ଅନୁସାରେ ଭିନ୍ନ ଭିନ୍ନ ରହିଛି | CBIC ନିର୍ଦ୍ଦେଶାବଳୀ ଅନୁସାରେ, ପୁରୁଷ ଯାତ୍ରୀ କୌଣସି କଷ୍ଟମ୍ ଶୁଳ୍କ ନ ଦେଇ ୫୦,୦୦୦ ମୂଲ୍ୟର ଅତିରିକ୍ତ ୨୦ ଗ୍ରାମ ପର୍ଯ୍ୟନ୍ତ ସୁନା ଅଳଙ୍କାର ଆଣିପାରିବେ। ସେହିଭଳି ମହିଳା ଯାତ୍ରୀମାନେ ୧୦୦,୦୦୦ ମୂଲ୍ୟର ୪୦ ଗ୍ରାମ ପର୍ଯ୍ୟନ୍ତ ସୁନା ଅଳଙ୍କାର ନେଇପାରିବେ।

୧୫ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଅତି ବେଶିରେ ୪୦ ଗ୍ରାମ, କିନ୍ତୁ ସର୍ତ୍ତ ହେଉଛି ଯେ, ସେମାନେ ସାଙ୍ଗରେ ଥିବା ବୟସ୍କଙ୍କ ସହିତ ସେମାନଙ୍କର ସମ୍ପର୍କ ପ୍ରମାଣ ଦେଖାଇ ଆଣିପାରିବେ| ସୂଚନା ମୁତାବକ ଏହି ଛାଡ଼ କେବଳ ସୁନା ଅଳଙ୍କାର ପାଇଁ ପ୍ରଯୁଜ୍ୟ, ସୁନା ବାର୍, ମୁଦ୍ରା କିମ୍ବା ବିସ୍କୁଟ ପାଇଁ ନୁହେଁ।

ଏହି ଟିକସ ଛାଡ଼ ପାଇଁ ଯୋଗ୍ୟ ହେବାକୁ ଯାତ୍ରୀମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡିବ। ପ୍ରଥମତଃ ଟିକସମୁକ୍ତ ସୁବିଧା କେବଳ ସେତେବେଳେ ପ୍ରଯୁଜ୍ୟ ହୋଇପାରିବ ଯେତେବେଳେ କୌଣସି ଯାତ୍ରୀ ଅତି କମରେ ଗୋଟିଏ ବର୍ଷ ପାଇଁ ବିଦେଶରେ ରହିଥିବେ। ଦ୍ୱିତୀୟତଃ, ଏହି ଛାଡ଼ କେବଳ ଅଳଙ୍କାର ପାଇଁ ସୀମିତ। ଅନ୍ୟାନ୍ୟ ଜିନିଷଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଭାବେ ଶୁଳ୍କ ଲାଗୁ ହେବ।

ଏଥିସହିତ ଯଦି ଆପଣ ଅନୁମୋଦିତ ସୀମାଠାରୁ ଅଧିକ ସୁନା ଆଣୁଛନ୍ତି ତେବେ ଆପଣଙ୍କୁ ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀଙ୍କୁ ଏହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ | ଲୁଚାଇ ରଖାଯାଇଥିବା କିମ୍ବା କମ୍ ଘୋଷଣା କରାଯାଇଥିବା ସୁନା ଥିଲେ ଜବତ ଏବଂ ଅତିରିକ୍ତ ଦଣ୍ଡ ହୋଇପାରେ। ଅନୁମୋଦିତ ପରିମାଣଠାରୁ ଅଧିକ ଆଣିବାକୁ ଚାହୁଁଥିବା ଯାତ୍ରୀମାନେ କଷ୍ଟମ୍ସ ଶୁଳ୍କ ଦେଇ ଆଇନଗତ ଭାବରେ ଆଣିପାରିବେ । ବର୍ତ୍ତମାନ ଆମଦାନୀ ହୋଇଥିବା ସୁନାର ପରିମାଣ ଉପରେ ନିର୍ଭର କରି ଏହି ଡ୍ୟୁଟି ୩୮.୫% ପର୍ଯ୍ୟନ୍ତ ହୋଇପାରେ।

ଏହା ବ୍ୟତୀତ ଭାରତୀୟ କଷ୍ଟମ୍ସ ଆଇନ, ୧୯୬୨ ଅନୁଯାୟୀ ଆଇନଗତ ମାମଲା ମଧ୍ୟ ସମ୍ଭବ, ଯେଉଁଥିରେ ଏକ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଚୋରା ଚାଲାଣ କରିବାରେ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି |

ଯଦି ଏହି ମାମଲାରେ ସଂଗଠିତ ଚାଲାଣ କିମ୍ବା ବାରମ୍ବାର ଅପରାଧ ଜଡିତ ରହିଥାଏ ତେବେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଏ। ଭାରତୀୟ ଦଣ୍ଡ ସଂହିତା, ୨୦୨୩ ଅନୁସାରେ ଏହି ଅପରାଧ ପାଇଁ ଦଣ୍ଡ ପାଞ୍ଚ ବର୍ଷରୁ ଆଜୀବନ କାରାଦଣ୍ଡ ଏବଂ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ମଧ୍ୟ ହୋଇପାରେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ