ସାମାନ୍ୟ ବଚସାରୁ ବାଇକକୁ ଗୋଡ଼ାଇ ଗୋଡ଼ାଇ ଧକ୍କା ଦେଲେ
 
        ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୨୫ ତାରିଖ ପ୍ରାୟ ରାତି ୯.୩୦ ସମୟରେ ଏକ ଦୁଇ ଚକିଆ ଯାନକୁ ପିଛା କରି କାର ଧକ୍କା ଦେବା ଅଭିଯୋଗରେ ଏକ ଦମ୍ପତି ଙ୍କୁ ଗିରଫ କରାଯାଇଛି। ତେବେ ଏହି ଧକ୍କାରେ ବାଇକ୍ ଆରୋହୀ ଦର୍ଶନଙ୍କ ମୃତ୍ୟୁ ହୋଇଥିଲା।
ତେବେ ଉଭୟଙ୍କ ବୟସ ୨୪ ବର୍ଷ ହେବା ସହ ଦର୍ଶନ ଜଣେ ଗିଗ୍ କର୍ମୀ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜେପି ନଗର ଟ୍ରାଫିକ୍ ପୋଲିସ ଏହାକୁ ନେଇ ପ୍ରଥମେ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ କାରଟି ଜାଣିଶୁଣି ପଛରେ ଆସି ଦୁଇ ଚକିଆ ଯାନକୁ ଧକ୍କା ଦେଇଥିବା ସିସିଟିଭି ଫୁଟେଜ୍ ରେ ସ୍ପଷ୍ଟ ଭାବରେ ଦେଖାଯାଇଥିବା ନେଇ ଡେପୁଟି କମିଶନର ଅଫ୍ ପୋଲିସ (ଦକ୍ଷିଣ) ଲୋକେଶ ଜଗଲାସର କହିଛନ୍ତି।ତେବେ ପ୍ରଥମେ ଦୁଇଚକିଆ ଯାନ କାରକୁ ଧକ୍କା ଦେଇଥିଲା ଓ କାରର ସାଇଡ୍ ମିରର ଭାଙ୍ଗି ଯାଇଥିଲା। ତେଣୁ ରାଗିଯାଇ କାର ଡ୍ରାଇଭର ସେମାନଙ୍କୁ ପିଛା କରି ଧକ୍କା ଦେଇଥିବା ଡିସିପି କହିଛନ୍ତି।
ଅଭିଯୁକ୍ତ ଜଣେ ଜୀମ ଟ୍ରେନର ଥିବା ନେଇ ଜଣାପଡ଼ିଛି। ତେବେ ସେ ନିଜ ପରିଚୟ ଲୁଚାଇବା ସହ ପ୍ରମାଣ ନଷ୍ଟ କରିବା ପାଇଁ ଏକ ମାସ୍କ ପିନ୍ଧି ତାଙ୍କ ପତ୍ନୀଙ୍କ ସହିତ ଘଟଣାସ୍ଥଳକୁ ଆସିଥିଲେ। ପରେ ଘଟଣାସ୍ଥଳରୁ ସେମାନଙ୍କ ଗାଡ଼ିର କ୍ଷତିଗ୍ରସ୍ତ ଅଂଶ ସଂଗ୍ରହ କରି ସେଠାରୁ ଚାଲି ଯାଇଥିଲେ। ତେବେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ପୁଟେନାହାଲ୍ଲି ପୋଲିସ ଷ୍ଟେସନରେ ଉଭୟଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି।

 
                        
 
                                 
                                 
                                 
                                 
                                