Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

SC/ST ଆକ୍ଟରେ ଅଭଦ୍ର ଭାଷା କହି ଦେଲେ ମାମଲା ରୁଜୁ ପାଇଁ ପର୍ଯ୍ୟାପ୍ତ ନୁହେଁ, ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସଂପର୍କିତ ଏକ ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। କୋର୍ଟ କହିଛନ୍ତି, ଏସସି/ଏସଟିଙ୍କ ବିରୋଧରେ କେବଳ ଅଭଦ୍ର କିମ୍ବା ଅପମାନଜନକ ଭାଷା ପ୍ରୟୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଏସସି/ଏସଟି ଅଧିନିୟମ ଆଧାରରେ ମାମଲା ରୁଜୁ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ପୀଠ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ବିରୋଧରେ ଏସସି/ଏସଟି ଅଧିନିୟମର ଧାରା ୩(୧)(X)ର ଦଣ୍ଡାତ୍ମକ ପ୍ରାବଧାନ ଲାଗୁ କରିବା ପାଇଁ ହେଲେ ପ୍ରଥମେ ଏହା ସାବ୍ୟସ୍ତ କରିବାକୁ ପଡ଼ିବ ଯେ, ଟିପ୍ପଣୀ କଣ ଜାଣିଶୁଣି ସାର୍ବଜନୀନ ସ୍ଥାନରେ କରାଯାଇଛି ? ଚାର୍ଜସିଟ୍ କିମ୍ବା ଏଫଆଇଆରର କପିରେ ମଧ୍ୟ ଏହି ଧରଣର ତଥ୍ୟ ଉଲ୍ଲେଖ କରାଯିବାର ଆବଶ୍ୟକତା ରହିଛି।

ଶୁକ୍ରବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୨ ଜଣିଆ ପୀଠ ସ୍ପଷ୍ଟ କରିଛନ୍ତି ଯେ, ଏସସି ଏବଂ ଏସଟି ବ୍ୟକ୍ତିଙ୍କ ବିରୋଧରେ ଅଭଦ୍ର କିମ୍ବା ଅପମାନଜନକ ଶବ୍ଦର ପ୍ରୟୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଏହା ପର୍ଯ୍ୟାପ୍ତ ପ୍ରମାଣ ନୁହେଁ। ପ୍ରଥମେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। ତା ପରେ ଯାଇ ଚାର୍ଜସିଟରେ ସଠିକ୍ ତଥ୍ୟ ଉପସ୍ଥାପନ କରିବାକୁ ପଡ଼ିବ। କେବଳ ଅଭିଯୋଗ ଆଧାରରେ କାହାରି ବିରୋଧରେ ମାମଲା ରୁଜୁ କରାଯାଇ ପାରିବ ନାହିଁ।

ସୁପ୍ରିମକୋର୍ଟ ଶୁକ୍ରବାର ଏ ସଂପର୍କିତ ଏକ ମାମଲାର ଶୁଣାଣି କରିଛନ୍ତି। ଏସସି/ଏସଟି ସମୁଦାୟର ବ୍ୟକ୍ତି ବିଶେଷଙ୍କ ବିରୋଧରେ ଅପମାନସୂଚକ ଶବ୍ଦ ପ୍ରୟୋଗ କରିବା ଏବଂ ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏସସି/ଏସଟି ଆକ୍ଟ ଆଧାରରେ ମାମଲା ରୁଜୁ ହୋଇଥିଲା। ହେଲେ ଏଫଆଇ କିମ୍ବା ଚାର୍ଜସିଟରେ ସେମିତି କୌଣସି ପ୍ରକାରର ତଥ୍ୟ ଉଲ୍ଲେଖ ନଥିଲା। ଏପରିକି ଅଭିଯୋଗକାରୀ କେଉଁ ଜାତିର ତାହା ମଧ୍ୟ ନଥିଲା। ଯେଉଁ ସମୟରେ ଘଟଣା ଘଟିଥିଲା ସେଠାରେ କେବଳ ଅଭିଯୋଗକାରୀଙ୍କ ପତ୍ନୀ ଏବଂ ତାଙ୍କ ପୁଅଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ। ତେଣୁ ଏହାକୁ ସାର୍ବଜନୀନ ଭାବେ ଅପମାନ କରାଯାଇଥିବା ବିବେଚନା କରାଯାଇ ପାରିବ ନାହିଁ। ତେଣୁ ଆବେଦନକାରୀଙ୍କ ଯାଚିକା ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ