Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ,- ସମୁଦ୍ରରେ ମାଛ ଧରିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧|୧୧: କଇଁଛ ମାନଙ୍କ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ | ମତ୍ସ୍ୟଜୀବୀଙ୍କ ସମୁଦ୍ରରୁ ମାଛ ଧରିବାକୁ ନେଇ ଲାଗିଲା କଟକଣା | ନଭେମ୍ବର ୧ ରୁ ମଇ ୩୧ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ମାଛ ଧରିବା ଉପରେ କଟକଣା ଲଗାଇଛନ୍ତି ସରକାର। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ମାଛ ଧରିବା ପାଇଁ ବାରଣ ହୋଇଛି | ଏହି ସମୟରେ କଇଁଛଙ୍କ ପ୍ରଜନନ ପାଇଁ ଅନୁକୂଳ ସମୟ ହୋଇଥିବାରୁ ସମୁଦ୍ର ଭିତରୁ କୂଳ କୁ ଆସିଥାନ୍ତି ଅଲିଭ ରିଡଲେ କଇଁଛ । ଅଣ୍ଡା ଦେବା ପାଇଁ ଲକ୍ଷଲକ୍ଷ କଇଁଛ ସମୁଦ୍ର ତଟକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି |

ଦେବୀନଦୀ, ଋଷିକୁଲ୍ୟା, ଗହିରମଥା ଓ ଧାମରା ମୁହାଣରେ ପ୍ରତିବନ୍ଧକ ଲଗାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ମତ୍ସ୍ୟଜୀବୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ତେବେ ସରକାରଙ୍କ ପକ୍ଷରୁ ମତ୍ସ୍ୟଜୀବୀ ଓ ବୋଟ୍ ମାଲିକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ | ପେଟ୍ରୋଲିଂ ପାଇଁ ଜଙ୍ଗଲ ବିଭାଗ ଓ ମତ୍ସ୍ୟ ବିଭାଗକୁ ଦିଆଯାଇଛି ଦାୟୀତ୍ୱ | ଯଦି କୌଣସି ଡଙ୍ଗା କି ବୋଟ୍ ଏହି ନିୟମର ବିରୁଦ୍ଧରେ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ କହିଛନ୍ତି। ସେପଟେ ଶ୍ରୀଲଙ୍କା ଉପକୂଳରୁ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଆଗମନ ସମୟ ମଧ୍ୟ ପାଖେଇଆସୁଛି |

ସୁରକ୍ଷିତ ଭାବେ କଇଁଛଙ୍କ ଗଣଅଣ୍ଡାଦାନ ଲାଗି ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି | ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ରିଡ୍‌ଲେ ଅଣ୍ଡାଦାନ କରୁଥିବାରୁ ସେହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବାର ନିଷ୍ପତ୍ତି ରହିଛି। ଆଜିଠାରୁ ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ବ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗୀ ସୀମା ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ଅଞ୍ଚଳକୁ ନୋ-ଫିସିଂ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

୨୦୨୬ ମେ ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ନଭେମ୍ବର ପ୍ରଥମ ସପ୍ତାହ ପରେ ସମୁଦ୍ର ଭିତରେ କଇଁଛଙ୍କ ମିଳନ ଆରମ୍ଭ ହେଉଥିବାରୁ ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବଳବତ୍ତର ରହିବ। ମାର୍ଚ୍ଚରେ ଅଣ୍ଡାଦେବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗତବର୍ଷ ୨୦୨୪-୨୫ରେ ପ୍ରାୟ ୯ ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ । ଯାହା ସବୁଠାରୁ ଅଧିକ ରେକର୍ଡ଼ ସୃଷ୍ଟି କରିଥିଲା। ଏଥର ପାଗ ଅନୁକୂଳ ରହିଲେ ପୁଣିଥରେ ଋଷିକୁଲ୍ୟା ମୁହାଣ ନିକଟରେ ଲକ୍ଷାଧିକ କଇଁଛଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ