ରାତିରେ ଲାଇଟ୍ ଜାଳି ଶୋଉଛନ୍ତି କି? ହୋଇ ଯାଆନ୍ତୁ ସାବଧାନ! ଜୀବନ ପ୍ରତି ଆଣିପାରେ ବିପଦ
ନୂଆଦିଲ୍ଲୀ: ପ୍ରାୟ ଲୋକଙ୍କର ରାତିରେ ଲାଇଟ ଜାଳି ଶୋଇବାର ଅଭ୍ୟାସ ରହିଛି | କିନ୍ତୁ ଜାଣିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇପାରେ | ଏହାଦ୍ବାରା ହୃଦଘାତ ଜନିତ ସମସ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି | ଯାହା ହାର୍ଟ ଫେଲ୍ୟୋର, ଷ୍ଟ୍ରୋକ୍ ପରି ସମସ୍ୟାକୁ ବଢେଇବାରେ ସାହାଯ୍ୟ କରିଥାଏ | ରାତିରେ ଆଲୋକର ତୀବ୍ରତା ସଂସ୍ପର୍ଶରେ ଆସିବା ଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ | ବିଶେଷ କରି ଅଧିକ ବୟସ୍କ ଲୋକମାନଙ୍କ କ୍ଷେତ୍ରରେ ହୃଦରୋଗର ଆଶଙ୍କା ୫୬ ପ୍ରତିଶତ ବଢ଼ିଯାଏ ବୋଲି UK BIOBANK ଦ୍ବାରା ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଗବେଷକମାନେ ୮୦ ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ସର୍ଭେ କରିଥିଲେ। ଗବେଷଣାରୁ ଜଣା ପଡିଛି ଯେ ୪୦ରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି ସେମାନଙ୍କ ଠାରେ ହାର୍ଟ ଜନିତ ସମସ୍ୟା ଅନ୍ୟମାନଙ୍କ ଅପେକ୍ଷାକୃତ ଅଧିକ ଦେଖାଯାଇଥାଏ । ରାତିରେ ଶୋଇ ମୋବାଇଲ ସ୍କ୍ରୋଲ କରିବା ଅଭ୍ୟାସ ଏହି ସମସ୍ୟାକୁ ଆହୁରି ବୃଦ୍ଧି କରିଥାଏ |
ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ୟୁନିଭର୍ସିଟିର ଗବେଷକ, UK BIOBANK ସହ ମିଶି କରିଥିବା ଗବେଷଣା ଅନୁସାରେ, ରାତିରେ ତୀବ୍ର ଆଲୋକ ସଂସ୍ପର୍ଶରେ ଆସିବା ଦ୍ୱାରା ହୃଦଘାତର ଆଶଙ୍କା ୪୭ ପ୍ରତିଶତ, କରୋନାରୀ ଆର୍ଟାରୀ ଆଶଙ୍କା ୩୨ ପ୍ରତିଶତ ଓ ଷ୍ଟ୍ରୋକ ଆଶଙ୍କା ୨୮ ପ୍ରତିଶତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ରାତିରେ ଶୋଇବା ସମୟରେ ଲାଇଟ୍ ଲଗେଇବା ଦ୍ୱାରା ଶରୀରର ଆନ୍ତରିକ ସର୍କେଡିଆନ୍ ସାଇକଲ ବାଧାପ୍ରାପ୍ତ ହୋଇଥାଏ । ଫଳରେ ହାର୍ଟ ଉପରେ ଏହାର କୁପ୍ରଭାବ ପଡିଥାଏ । ଏହି ଆଶଙ୍କା ମହିଳା ଓ ଯୁବବର୍ଗଙ୍କ ପାଇଁ ଅଧିକ ସମ୍ବେଦନଶୀଳ । ତେଣୁ ଯଥାସମ୍ଭବ ନିଜ ପ୍ରତି ଯତ୍ନଶୀଳ ରହିବା ନିହାତି ଜରୁରି। ରାତିରେ ତୀବ୍ର ଆଲୋକରୁ ରକ୍ଷାପାଇବାକୁ ବ୍ଲାକଆଉଟ୍ ପରଦାର ବ୍ୟବହାର ସହ ହାଲୁକା ଆଲୋକ ଜଳାନ୍ତୁ ଓ ଶୋଇବା ଆଗରୁ ମୋବାଇଲ ସ୍କ୍ରିନଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ।
ଲାଇଟ୍ ଅପେକ୍ଷା ଆହୁରି ବିପଜ୍ଜନକ ମୋବାଇଲ ଲାଇଟ୍। ଅନେକ ବ୍ୟକ୍ତିଙ୍କର ଶୋଇବା ବେଳେ ତକିଆ ପାଖରେ ମୋବାଇଲକୁ ରଖି ଶୋଇବାର ଅଭ୍ୟାସ ରହିଛି | କିନ୍ତୁ ଏହାର ପ୍ରଭାବ ଯେ କେତେ ଖରାପ ତାହା ବିଷୟରେ ଜାଣି ରଖିବା ଆପଣଙ୍କ ସମସ୍ୟାକୁ ଦୁରାଇପାରେ | ମୋବାଇଲ ଫୋନରେ ଏକ ପ୍ରକାର ବୈଦ୍ୟୁତିକ ଶକ୍ତି ରହିଥାଏ । ଏଥିରୁ ଏକ ରେଡିଏସନ୍ ନିର୍ଗତ ହୁଏ, ଯାହା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ମୋବାଇଲ ପାଖରୁ ଯଥା ସମ୍ଭବ ଦୂରତା ଅବଲମ୍ବନ କରିବା ଉଚିତ।
ଏହା କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ । ଏଥି ସହିତ ଏହି ଅଭ୍ୟାସ ଶରୀର ଉପରେ ବହୁ କୁପ୍ରଭାବ ପକାଇଥାଏ। ହୃତପିଣ୍ଡ, ଚକ୍ଷୁ, ଅଣ୍ଡକୋଷର କାର୍ଯ୍ୟ ଦକ୍ଷତାକୁ ମଧ୍ୟ କମାଇଥାଏ । ଯାହା ଫଳରେ ଗର୍ଭବତୀ ମହିଳାଙ୍କ ଭୃଣ ମଧ୍ୟ ପ୍ରଭାବିତ ହୋଇଥାଏ । ଶିଶୁମାନଙ୍କର ମାନସିକ ବିକାଶରେ ବାଧାପ୍ରାପ୍ତ ହୋଇଥାଏ । ରାତିରେ ଶୋଇବା ସମୟରେ ପାଖରେ ମୋବାଇଲ ରଖିବା ଅଭ୍ୟାସ ଆପଣଙ୍କ ଜୀବନରେ ବଧିରତା, ନିଦ୍ରାହୀନତା ଭଳି ସମସ୍ୟାକୁ ବଢାଇପାରେ | ତେଣୁ ଯଥା ସମ୍ଭବ ଆପଣ ଏହି ଅଭ୍ୟାସ ଗୁଡିକୁ ବଦଳାଇ ନିଅନ୍ତୁ ଯାହା ଦ୍ୱାରା ଜୀବନ ସୁସ୍ଥ ଏବଂ ନିରୋଗ ରହିବ |

