ଗୁରୁବାର ଛାଡଖାଇ, ଶୁକ୍ରବାରରେ ଆମିଷ ବଜାରରେ ପ୍ରବଳ ଗହଳି ଆଶଙ୍କା
ବାଲିଗୁଡା, ତା, ୦୩/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ଧର୍ମର ମାସ କହିଲେ କାର୍ତ୍ତିକ ମାସ କୁ ହିଁ ବୁଝାଏ । ଏକମାସ ଧରି ଅଧିକାଂଶ ଘରେ ଆମିଷ ରନ୍ଧା ଯାଇନାହିଁ । ଆମିଷ ପ୍ରେମୀ ମାନେ ଅପେକ୍ଷା କରିଛନ୍ତି ଛାଡଖାଇ କୁ। ଏଥର ପଞ୍ଚୁକ ଚାରିଦିନ । ଗୁରୁବାର ଛାଡଖାଇ ପଡିଥିବାରୁ ଆମିଷ ଆଗ୍ରହୀ ବ୍ୟକ୍ତି ମାନେ ଚିନ୍ତାରେ ପଡିଛନ୍ତି । ପ୍ରକୃତ ଛାଡଖାଇ ଆମିଷ ବିନା ମାଡ ଖାଇଗଲା ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଭୋଜିରେ ଆମିଷ ନହେଲେ ଅତିଥି ମାନଙ୍କ ସଂଖ୍ୟା କମି ଯିବାର ବହୁ ନଜିର ମଧ୍ୟ ରହିଛି । ମାର୍ଗଶୀର ମାସ ଗୁରୁବାର ପ୍ରଥମ ପାଳି ହୋଇଥିବାରୁ ଗୃହିଣୀ ମାନେ ଆଗରୁ ସତର୍କ କଲେଣି ଆମିଷ ନ ଆଣିବାକୁ । ଆମିଷ ଦର ମଧ୍ୟ ଗୁରୁବାର ପରେ ଶୁକ୍ରବାର ବଢିଯିବାର ଆଶଙ୍କା ରହିଛି । ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳବାସୀ ମାନେ ନିକଟସ୍ଥ ଆମିଷ ବଜାରରୁ ଆମିଷ କିଣିବେ । ହେଲେ ଏବେଠାରୁ ହିଁ କୁଇଣ୍ଟାଲ କୁଇଣ୍ଟାଲ ବଏଲର କୁକୁଡ଼ା ଗାଡି ଆସି ଗୋଦାମ ରେ ଷ୍ଟକ ରଖାଯାଉଛି l ଗୋଦାମ ବ୍ୟବସାୟିଙ୍କ ସୂଚନା ଅନୁଯାଇ ଏଥର ୫ଶହରୁ ଉର୍ଦ୍ଧ୍ବ କୁଇଣ୍ଟାଲ ମାଛ, ମାଂସ ଓ ଚିକେନ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଏଥର ଛାଡଖାଇ ଗୁରୁବାର ପଡୁଥିବାରୁ ଅନେକ ଆମିଷ ଖାଇବା ପରିବାର ଓ ସାଙ୍ଗମେଳ ଶୁକ୍ରବାର କୁ ଆମିଷ ରୋଷେଇ ପାଇଁ ପ୍ରସ୍ତୁତି ଚାଲିଛି । ବିଭିନ୍ନ ହୋଟେଲ ଗୁଡିକ କେତେ ମାଛ ମାଂସ, ଚିକେନ ଓ ଅଣ୍ଡା ଆଣିବେ ତାର ଯୋଜନା ମଧ୍ୟ ଚାଲିଛି । ବର୍ତ୍ତମାନ ବାଲିଗୁଡା ଆମିଷ ବଜାର ରେ ଭାକୁର, ଆନ୍ଧ୍ର ଓ ଦେଶୀ ରୋହି, ମିଟିକାଳ ଓ ଛୋଟ ଚୁନା ମାଛ କିଲୋ ପ୍ରତି ୧୮୦ ଟଙ୍କା ରହିଥିବା ବେଳେ ଛୋଟ ଓ ବଡ ଚିଙ୍ଗୁଡି ୪୦୦ ରୁ ୬୦୦ ଟଙ୍କା ରହିଛି । ଗୋଟା ବଏଲର ୧୨୦ ଟଙ୍କା, କଟା ଚିକେନ କିଲୋ ୧୮୦ ରହିଛି, ସାଧା ମଟନ କିଲୋ ୮୦୦, ଖାସି ମଟନ ୧୦୦୦ ଟଙ୍କା ରହିଛି । ଛାଡଖାଇ ଦିନ ଏହି ଦର ବଢ଼ିବାର ଆଶଙ୍କା ରହିଛି । ଶୁକ୍ରବାର ସକାଳୁ ସକାଳୁ ବିଭିନ୍ନ ଆମିଷ ଦୋକାନରେ ଖାଉଟି ମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିଜର ପସନ୍ଦ ଆମିଷ ଜିନିଷ ନେବେ ପୂର୍ବ ପ୍ରସ୍ତୁତିର ସୂଚନା ରୁ ଜଣାପଡିଛି ଲ

