ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏୟାର ଇଣ୍ଡିଆ ବିମାନର ଏମର୍ଜେନ୍ସୀ ଲ୍ୟାଣ୍ଡିଂ
        ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ବେଙ୍ଗାଲୁରୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋପାଳକୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ରାତିରେ ଭୋପାଳର ରାଜା ଭୋଜ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତିରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏଥିରେ ମୋଟ ୧୭୨ ଜଣ ଯାତ୍ରୀ ଥିଲେ। ତେବେ ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଧ୍ୟା ୬:୩୧ ସମୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଭରୁଥିବା ବିମାନ AI 2487ରେ ବିମାନରେ ମଝି ଆକାଶରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, କାର୍ଗୋ ହୋଲ୍ଡରେ ଏକ ସତର୍କ ସୂଚନା ପାଇବା ପରେ ବିମାନ (AIC 2487, A320 Neo, VT-EXO)କୁ ଭୋପାଳକୁ ସ୍ଥାନାନ୍ତର କରାଯାଇଥିଲା। ଭୋପାଳ ବିମାନବନ୍ଦରର ବିମାନ ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନିଶମ ସେବା ଏବଂ ବିମାନ କମ୍ପାନୀ ଟିମ୍ ତୁରନ୍ତ ପରିସ୍ଥିତିର ମୁକାବିଲା କରିଥିଲେ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ରାମଜୀ ଅବସ୍ଥି କହିଛନ୍ତି ଯେ ବିମାନର ଅବତରଣ ଦ୍ୱାରା କୌଣସି କାର୍ଯ୍ୟ ପ୍ରଭାବିତ ହୋଇନାହିଁ।
ଅଧିକାରୀ ମାନେ ଆହୁରି ମଧ୍ୟ କହିଛନ୍ତି ଯେ, “ମାନକ ସୁରକ୍ଷା ପ୍ରୋଟୋକଲ ଅନୁସରଣ କରି ସନ୍ଧ୍ୟା ୭:୩୩ ରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। କିଛି ମିନିଟ୍ ପରେ କ୍ରୁ ସଦସ୍ୟମାନେ ରିପୋର୍ଟ କରିଥିଲେ ଯେ ଚେତାବନୀ ପ୍ରତ୍ୟାହାର କରାଯାଇଛି ଏବଂ ବିମାନର ସମସ୍ତ ବ୍ୟବସ୍ଥା ସ୍ୱାଭାବିକ ଥିଲା। ରାତି ୮ ଟାରେ ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏବଂ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସୂଚନା ଦିଆଯାଇଥିଲା।

                        