ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ
ଭୁବନେଶ୍ବର: କଟକରୁ ସୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତି। ନିଜେ କାର୍ ଚଳାଇ ସେ ଘରକୁ ଫେରୁଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ସୂଚନା ଅନୁଯାୟୀ, ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତି। ସେ ନିୟନ୍ତ୍ରଣ ହରାଇବାରୁ କାରଟି କେନାଲ ଭିତରକୁ ଖସି ପଡ଼ିଥିଲା। ତେବେ ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି। ଖବର ପାଇ ତାଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ତାଙ୍କୁ କାରରୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ଅପରପକ୍ଷରେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ କାରଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
ତେବେ ଅଭିନେତା ଅଶ୍ରୁମୋଚନ ମହାନ୍ତି ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କୁରୁକ୍ଷେତ୍ର’ (୧୯୮୮) ଜରିଆରେ ଓଲିଉଡରେ ପାଦ ଥାପିଥିଲେ। ଏହାପରେ ସେ ଦୀର୍ଘ ୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି।

