Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ୟାକିଙ୍ଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ, ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠାର ରହିଛି ଯୋଜନା

ନୂଆଦିଲ୍ଲୀ, 10।11: କେନ୍ଦ୍ର ସରକାର ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନୂତନ ସୁଧାର ଆଣିବାକୁ ଯୋଜନା କରୁଛନ୍ତି । ଯାହାର ଫଳସ୍ଵରୂପ, ସରକାର ବ୍ୟାଙ୍କଗୁଡ଼ିକର ମହାମିଶ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦେଶର ସବୁ ବ୍ୟାଙ୍କ ଗୁଡିକର ମିଶ୍ରଣ କରି ଏକ ବିଶ୍ବସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର।

ରିପୋର୍ଟ ଅନୁସାରେ, ‘ନିତି’ ଆୟୋଗର ସୁପାରିସ ଆଧାରରେ ସରକାର ଛୋଟ ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କରେ ସାମିଲ କରିବାର ଯୋଜନା ରହିଛି। ବ୍ୟାଙ୍କ ଗୁଡିକ ହେଲା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ମିଶ୍ରଣ ହେବ। ତେବେ ଏହା ଗ୍ରାହକମାନଙ୍କ ପାଇଁ କିଛିଟା ସମସ୍ୟା ଆଣିପାରେ। ମିଶ୍ରଣ ପରେ ବ୍ୟାଙ୍କଗୁଡ଼ିକୁ ନୂତନ ବ୍ୟାଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ, ଯାହା ସେମାନଙ୍କର କାର୍ଯ୍ୟଭାର ବୃଦ୍ଧି କରିବ। ଭାରତ ଏବେ ବିଶ୍ୱସ୍ତରୀୟ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟରେ ଆଗକୁ ବଢୁଛି। ଉଦ୍ଦେଶ୍ୟ ରହିଛି, ଏଭଳି ବ୍ୟାଙ୍କ ପ୍ରତିଷ୍ଠା କରିବା, ଯାହା ଭିତ୍ତିଭୂମି, ମ୍ୟାନୁଫାକଚରିଂ ଏବଂ ଟେକ୍ନୋଲୋଜି ଭଳି ବୃହତ୍ ଆବଶ୍ୟକତାକୁ ପୂରଣ କରିବା ସହିତ ବଡ଼ ଆକାରରେ ଋଣ ଦେଇପାରିବ। ନିକଟରେ ନଭେମ୍ବର ୬ରେ ଏସୟୁଆଇର ଏକ କନକ୍ଲେଭରେ ଯୋଗ ଦେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ। ଦେଶକୁ ଅନେକ ବଡ଼ ଆଉ ବିଶ୍ୱସ୍ତରୀୟ ବ୍ୟାଙ୍କର ଆବଶ୍ୟକତା ଅଛି। ତେଣୁ ଆମକୁ ଆରବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକ ସହିତ ବସି ଏନେଇ ଆଲୋଚନା କରିବାକୁ ପଡ଼ିବ ବୋଲି ସୀତାରମଣ କହିଥିଲେ।

ତେବେ ଏହା ପୂର୍ବରୁ ମଧ୍ୟ କିଛି ବ୍ୟାଙ୍କର ମିଶ୍ରଣ କରାଯାଇସରିଛି । ହେଲେ ଏଥର ଯେଉଁ ମିଶ୍ରଣ କରାଯିବ ତା ପଛରେ ବଡ଼ ଉଦ୍ଦେଶ୍ୟ ଲୁଚି ରହିଛି ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ,ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣର ପ୍ରଥମ ପର୍ଯ୍ୟାୟ ୨୦୧୯- ୨୦ ଆର୍ଥିକ ବର୍ଷରେ ହୋଇଥିଲା । ୨୦୧୯ ମସିହାରେ ଅଗଷ୍ଟ ମାସରେ ସରକାର ୪ଟି ବଡ଼ ସରକାରୀ ବ୍ୟାଙ୍କର ମିଶ୍ରଣ ଘୋଷଣା କରିଥିଲେ । ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରାଇ ୫ଟି ବଡ଼ ବ୍ୟାଙ୍କ ଗଠନ କରାଯାଇଥିଲା। ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସଂଖ୍ୟା ୨୭ ରୁ ହ୍ରାସ ପାଇ ମାତ୍ର ୧୨ ହୋଇଯାଇଥିଲା । ଏହି ମିଶ୍ରଣ ପ୍ରକ୍ରିୟା ୨୦୨୦ ଏପ୍ରିଲ ପହିଲାରୁ କାର୍ଯ୍ୟକାରୀ ହୋଇଥିଲା । ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସକୁ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା । ସେହିପରି ସିଣ୍ଡିକେଟ୍ ବ୍ୟାଙ୍କକୁ କାନାରା ବ୍ୟାଙ୍କ ସହିତ ଏବଂ ଆଲ୍ଲାହାବାଦ ବ୍ୟାଙ୍କକୁ ଇଣ୍ଡିଆନ୍ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କକୁ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ମିଶ୍ରଣ କରିଥିଲେ ସରକାର| ତେବେ ତା ପୂର୍ବରୁ ୨୦୧୯ରେ ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦାରେ ମିଶାଇ ଦିଆଯାଇଥିଲା । ଆଉ ଏବେ ସରକାର ପୁଣିଥରେ ବ୍ୟାଙ୍କ ଗୁଡ଼ିକୁ ମିଶାଇ ଦେଶରେ ୫ଟି ବଡ଼ ବ୍ୟାଙ୍କ ଆରମ୍ଭ କରିବାକୁ ଯୋଜନା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ