Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରତି ଚାରି ମାସରେ ଥରେ ପାଣ୍ଡିଆନ ଖଡ଼ିଆଳ ଆସନ୍ତେ କି

ଖଡ଼ିଆଳ : ଫାଇଭଟି ସଚିବ ଭି କେ ପାଣ୍ଡିଆନ ଆଜି ଦିନିକିଆ ନୂଆପଡା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ସମୀକ୍ଷା କରିଛନ୍ତି। ପ୍ରଥମେ ସିନାପାଲି ବ୍ଲକ ଗଡ୍ରାମାଲ ଗ୍ରାମରେ ଚାଲିଥିବା ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ପରେ ଲିଟିସର୍ଗି ଗ୍ରାମରେ ୫ଟି ସ୍କୁଲ ପରିଦର୍ଶନ କରିଥିଲେ। ପରେ ପରେ ବୋଡେ଼ନ ବ୍ଲକର ଐତିହାସିକ ପର୍ଯ୍ୟଟନସ୍ଥଳୀ ପାତାଳ ଗଙ୍ଗା ଯାଇ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ନୂତନ ନିର୍ମିତ କାଫେର ଉଦଘାଟନ କରିଥିଲେ।ଏହାପରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରଗସ୍ତ କରି ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରିବା ସହ ରୋଗୀ ମାନଙ୍କୁ ମିଳୁଥିବା ସୁବିଧା ବୁଝି ପଚାରିଥିଲେ। ଖଡ଼ିଆଳ ଡାକ୍ତରଖାନାରେ ଏକ ଆହାର କେନ୍ଦ୍ର ଖୋଲାଯିବ ବୋଲି ଘୋଷଣା କରିବା ସହ ନିର୍ମାଣ ହେଉଥିବା କାଫେ ଶୀଘ୍ର ସରିବ ବୋଲି କହିଥିଲେ।
ଅନ୍ୟ ପକ୍ଷରେ ୫ ଟି ସଚିବଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଥିଲା ଜିଲ୍ଲା ପ୍ରଶାସନ। ଖଡ଼ିଆଳ ନୂଆପଡା ଜାତୀୟ ରାଜପଥର ଅନେକ ଖାଳଖମାଲ /ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଥିଲା। ଖଡ଼ିଆଳ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନଥିଲା।ଏପରିକି ବିଭିନ୍ନ ଗଣମାଧ୍ୟମରେ ଏନେଇ ଅନେକ ଥର ଖବର ପ୍ରସାରଣ ହେଲେ ମଧ୍ୟ ପିଡବ୍ଲୁଡି ବିଭାଗ ନିର୍ଲଜ ପରି ଚୁପ ରହିଥିଲା କିନ୍ତୁ ପଣ୍ଡିଆନଙ୍କ ଗସ୍ତ ପାଇଁ ରାତାରାତି ରାସ୍ତା ମରାମତି କରାଯାଇଥିଲା। ସେହିପରି ଖଡ଼ିଆଳ ଡାକ୍ତରଖାନାର ଅବ୍ୟବସ୍ଥା ନେଇ ସବୁବେଳେ ଅଭିଯୋଗ ହୋଇ ଆସୁଛି। ଡାକ୍ତରଙ୍କ ସମେତ କର୍ମଚାରୀ ମାନେ ଠିକ ଭାବରେ ହସ୍ପିଟାଲ ଆସୁ ନଥିବା ପରମ୍ପରା ହୋଇ ଯାଇଛି। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଆଜି କିନ୍ତୁ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡାକ୍ତରଖାନା ପରିସର ଚକାଚକ କରାଯାଇଥିବା ବେଳେ ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ରୋଗୀ ମାନଙ୍କୁ ଭଗବାନଙ୍କ ପରି ସେବା କରାଯାଉଥିଲା । ଖାଲି ଏଦୁଇ ବିଭାଗ ନୁହଁ, ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟର କର୍ମଚାରୀଗଣ ଆଜି ଛୁଟିଦିନ ଥିଲେ ମଧ୍ୟ ଉପସ୍ଥିତ ରହି ତାଙ୍କ ଗସ୍ତକୁ ସହଯୋଗ କରିଥିଲେ। ଏସବୁ ଦେଖି ଲୋକେ କୁହାକୁହି ହେବାର ଦେଖା ଯାଉଥିଲା ପ୍ରତି ଚାରି ମାସରେ ଥରେ ପାଣ୍ଡିଆନ ଆସନ୍ତେ କି?