ଜେଲରେ ଭିତରେ ରହି ଚଲାଉଥିଲେ କଳା ସମ୍ରାଜ୍ୟର ନେଟୱର୍କ, ଘରୁ ୨.୦୧ କୋଟି ସହ ୬ କିଲୋ ଗଞ୍ଜେଇ ଜବତ
ଉତ୍ତରପ୍ରଦେଶ, 13।11: ଉତ୍ତର ପ୍ରଦେଶରେ ପୋଲିସ ଇତିହାସରେ ଏହା ପ୍ରଥମ। ପୂର୍ବରୁ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରାଜେଶ ମିଶ୍ରାଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା। ପୋଲିସ ଟଙ୍କା ଗଣି ଗଣି ନୟାନ୍ତ। ଟଙ୍କା ଗଣିବାକୁ ପୋଲିସକୁ ପ୍ରାୟ ୨୨ ଘଣ୍ଟା ପାଖାପାଖି ଲାଗିଥିଲା। ରାଜେଶ ଘରୁ ମୋଟ ୨.୦୧ କୋଟି ଟଙ୍କା, ୬ କିଲୋ ଗଞ୍ଜେଇ ସହ ୫୭୭ ଗ୍ରାମ ସ୍ମାକ ଜବତ ହୋଇଛି।
ରାଜେଶ ଜେଲ ଭିତରେ ରହି ଚୋରା ଚାଲାଣର ପୂରା ନେଟଓ୍ବର୍କ ଚଲାଉଥିଲା। ରାଜେଶର ପତ୍ନୀ ରାନି ଓ ପରିବାରର ଅନ୍ୟ ସଦସ୍ୟ ଗ୍ୟାଙ୍ଗର କାମ ବୁଝୁଥିଲେ। ୧୦, ୨୦, ୫୦, ୧୦୦ ଟଙ୍କିଆ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରାଜେଶର ସ୍ତ୍ରୀ ରାନି, ପୁଅ ବିନାୟକ, ଝିଅ କୋମଲ, ଅଜିତ ମିଶ୍ର ଏବଂ ଅଜିତର ପୁଅ ୟଶ ମଧ୍ୟ ଅଛନ୍ତି।
ନଭେମ୍ବର ସକାଳ ପ୍ରାୟ ସାଢ଼େ ୮ଟାରେ ପ୍ରୟାଗରାଜର ମାନିକପୁର ଥାନା ଅନ୍ତର୍ଗତ ମୁନ୍ଦିପୁର ଗାଁରେ ହଠାତ ପୋଲିସର ଏକାଧିକ ଗାଡିର ଲାଇନ ଲାଗିଥିଲା। ଜେଲରେ ବନ୍ଦ ରାଜେଶ ଏହି ଘରୁ ତା’ କଳା ସାମ୍ରାଜ୍ୟର ନେଟଓ୍ବର୍କ ଚଳାଉଛି ବୋଲି ସୂଚନା ମିଳିବା ପରେ ପୋଲିସ ତତକ୍ଷଣାତ ଘଟଣା ସ୍ଥଳରେ ପହଁଚିଥିଲା। ପ୍ରଥମେ ମଦ ପରେ ଜମି କାରବାର ଓ ଏବେ ନିଶା କାରବାର ଭଳି ଆଇନ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଜେଲରେ ଥାଇ ମଧ୍ୟ ରାଜେଶ ସମସ୍ତ ଡିଲ ଫାଇନାଲ କରୁଥାଏ ଏବଂ ବାହାରେ ରହି ତା’ ପରିବାର ଡେଲିଭରି ଓ ଟଙ୍କା ଆଦାୟ କରୁଥିଲେ।
ପୋଲିସ ପହଂଚିବା ଜାଣିପାରି ରାଜେଶଙ୍କ ପତ୍ନୀ କବାଟର ଭିତରୁ ପଟୁ ଲକ କରିଦେଇଥିଲେ। ଫଳରେ ପୋଲିସ ବଳପୂର୍ବକ ଘରେ ପଶିଥିଲେ । ସେତେବେଳେ ଘରେ ରାଜେଶର ପତ୍ନୀ ରାନି, ପୁଅ ବିନାୟକ, ଝିଅ କୋମଲ, ସମ୍ପର୍କୀୟ ୟଶ ଏବଂ ଅଜିତ ମିଶ୍ରା ଘର ଭିତରେ ଥିଲେ । ଘର ଭିତର ଦୃଶ୍ୟ ଦେଖି ପୋଲିସ ଆଖି ତରାଟି ଯାଇଥିଲା । ଚାରିଆଡେ ଟଙ୍କା ବିଡ଼ା ଥୁଆ ହୋଇଥିବା ବେଳେ ବସ୍ତାରେ ଗଞ୍ଜେଇ ଓ ଲୁହା ଟ୍ରଙ୍କରେ ସ୍ମାକ ରଖାଯାଇଥିଲା । ଆଉ ଘରର କୋଟିଏ କୋଣରେ ଟଙ୍କା ଗଣିବାକୁ ଏକ ମେସିନ ଥୁଆ ହୋଇଥିଲା । ପୋଲିସ ୨ କୋଟି ୧ ଲକ୍ଷ ୫୫ ହଜାର ୩୪୫ ଟଙ୍କା ନଗତ ଜବତ କରିଥିଲା । ସେହିପରି ଜବତ ଗଞ୍ଜେଇ ଓ ସ୍ମାକର ମୂଲ୍ୟ ଆନୁମାନିକ ୩ କୋଟି ଟଙ୍କା ହେବ । ଚଢ଼ାଉ ମାତ୍ର ତିନି ଘଣ୍ଟାର ଥିଲା । ହେଲେ ଏତେ ଟଙ୍କା ଜବତ ହେଲା ଯେ, ଗଣିବାକୁ ୨୨ ଘଣ୍ଟା ଲାଗିଗଲା ।
ତଦନ୍ତରୁ ଜଣାପଡ଼ିଛି ରାନି ଏବଂ ବିନାୟକ ରାଜେଶକୁ ଜେଲରୁ ବାହାର କରିବାକୁ ନକଲି କାଗଜପତ୍ର ପ୍ରସ୍ତୁତ କରି ଜାମିନ କରାଇ ସାରିଛନ୍ତି । ଏହା ଜଣାପଡ଼ିବା ପରେ ତାଙ୍କ ଉପରେ ଠକେଇ, ଷଡଯନ୍ତ୍ର ଓ ଗ୍ୟାଙ୍ଗଷ୍ଟର ଆକ୍ଟ ସମେତ ଏକାଧିକ ଧାରାରେ ମାମଲା ରୁଜୁ କରାଯାଇଛି । ପୋଲିସ ରେକର୍ଡ ଅନୁସାରେ ପୂର୍ବରୁ ଏହି ପରିବାରର ୩ କୋଟି ୬ ଲକ୍ଷ ୨୬ ହଜାର ୮୯୫ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି।
ସ୍ଥାନୀୟ ପୋଲିସ ସୂଚନା ଅନୁସାରେ, ରାଜେଶ ମିଶ୍ରାର ପତ୍ନୀ କେବଳ ସାଧାରଣ ଗୃହଣୀ ନଥିଲା । ରାଜେଶ ଜେଲ ଯିବା ପରେ ସେ ପୂରା ନେଟୱର୍କ ଗ୍ୟାଙ୍ଗର କାମ ତଦାରଖ କରୁଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ, ଘର ଆଗରେ କେବେ କେବେ ଟ୍ରକ ଛିଡ଼ା ହେଉଥିଲା । କିଛି ଲୋକ ଯିବା ଆସିବା ମଧ୍ୟ କରୁଥିଲେ । ଏ କଥା ପୂରା ଗାଁ ଜାଣିଥିଲା, ହେଲେ କେହି ମୁହଁ ଖୋଲିବାକୁ ସାହସ କରୁ ନଥିଲେ । କେଉଁ ଅଞ୍ଚଳକୁ କେତେ ମାଲ ଯିବ ଓ କେତେ ଟଙ୍କା ଆସିବା ତାହା ରାନି ଘରେ ବସି ଠିକ କରୁଥିଲା । ଜେଲରେ ଥିବା ସ୍ବାମୀ ରାଜେଶ ସହ ପ୍ରତିଦିନ ଫୋନରେ କଥା ହେଉଥିଲା । ଆଉ ରାଜେଶ କହିବା ଅନୁସାରେ ଡିଲ୍ ଫାଇନାଲ ହେଉଥିଲା ।

