ନୂଆପଡା ଉପନିର୍ବାଚନକୁ ନେଇ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ଟାର୍ଗେଟ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’…
ନୂଆପଡା,14।11: ଆଜି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହୋଇଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ବହୁ ଭୋଟରେ ପଛରେ ପକାଇ ଜୟ ଢୋଲକିଆ ଆଗରେ ଅଛନ୍ତି। ତେବେ ଏହା ମଧ୍ୟରେ ଗଣତି ଶେଷ ହେବା ପୂର୍ବରୁ ଶ୍ରୀମୟୀ ତାଙ୍କ ଫେସବୁକ ପେଜରେ ଏକ ପୋଷ୍ଟ କରିଛନ୍ତି।
ସେ ଲେଖିଛନ୍ତି ଯେ, ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’। ଏକ ମନ୍ତବ୍ୟ ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା। ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମ ବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ। ଯାହାଙ୍କୁ ନିଜ ମାଟିର ଲୋକେ ୩୦ ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନ ବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ। ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ? ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ ।
ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ। ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ? ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ।

