Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟିକାରୁ ରାଜନେତା; ସର୍ବକନିଷ୍ଠ ବିଧାୟିକା ହେଲେ ମୈଥିଳୀ ଠାକୁର…

ପାଟଣା: ପ୍ରାୟ ଦଶ ବର୍ଷ ପୂର୍ବେ ଯେତେବେଳେ ବିହାରର ଜଣେ କିଶୋରୀ ଝିଅ ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେତେବେଳେ ବହୁତ କମ୍ ଲୋକ କଳ୍ପନା କରିଥିଲେ ଯେ ସେହି ଝିଅଟି ଦିନେ ରାଜନୀତିରେ ପ୍ରବେଶ କରି ସର୍ବକନିଷ୍ଠ ବିଧାୟକ ହୋଇପାରିବ।

ଗାୟିକାରୁ ରାଜନେତା ପାଲଟିଥିବା ୨୫ ବର୍ଷୀୟା ମୈଥିଳୀ ଠାକୁର, ଆଲିନଗର ନିର୍ବାଚନମଣ୍ଡଳୀରୁ ଆରଜେଡିର ବିନୋଦ ମିଶ୍ରଙ୍କୁ ୧୧,୭୩୦ ଭୋଟରେ ପରାସ୍ତ କରି ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିବା ସବୁଠାରୁ ଯୁବ ରାଜନେତା ହୋଇଛନ୍ତି। ଆଲିନଗରରେ ୨୫ତମ ଏବଂ ଅନ୍ତିମ ପର୍ଯ୍ୟାୟ ଗଣନାରେ ମୈଥିଳୀ ଠାକୁର ୮୪,୯୧୫ ଭୋଟ ସହିତ ବିଜୟୀ ହୋଇଥିଲେ, ଯେତେବେଳେ କି ଆରଜେଡି ପ୍ରାର୍ଥୀ ବିନୋଦ ମିଶ୍ର ୭୩,୧୮୫ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲେ।

ମୈଥିଳୀ ଠାକୁର ଜଣେ ପ୍ରସିଦ୍ଧ ଗାୟିକା ଯିଏ ମୁଖ୍ୟତଃ ତାଙ୍କର ଶାସ୍ତ୍ରୀୟ ସଙ୍ଗୀତ, ଲୋକଗୀତ, ଭଜନ ଏବଂ ମୈଥିଳୀ-ଭୋଜପୁରୀ ଗୀତ ପାଇଁ ଜଣାଶୁଣା। ତାଙ୍କର ଜନ୍ମ ୨୫ ଜୁଲାଇ ୨୦୦୦ ମସିହାରେ ବିହାରର ମଧୁବନୀ ଜିଲ୍ଲାର ବେନିପଟ୍ଟିରେ ହୋଇଥିଲା। ତାଙ୍କ ପିତା ରମେଶ ଠାକୁର ଜଣେ ସଙ୍ଗୀତ ଶିକ୍ଷକ ଏବଂ ତାଙ୍କ ମାଆ ଭାରତୀ ଠାକୁର ଜଣେ ଗୃହିଣୀ। ମୈଥିଳୀ ପିଲାଦିନରୁ ସଙ୍ଗୀତ ପ୍ରତି ସମର୍ପିତ ଥିଲେ ଏବଂ ତାଙ୍କ ଦୁଇ ସାନ ଭାଇ ରିଷଭ ଏବଂ ଆୟାଚି ମଧ୍ୟ ତାଙ୍କ ସହିତ ପରଫର୍ମ କରନ୍ତି।

ମୈଥିଳୀ ଠାକୁର ତାଙ୍କ ନାମାଙ୍କନ ସମୟରେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଏକ ସରକାରୀ ଶପଥପତ୍ରରେ ତାଙ୍କର ସମ୍ପତ୍ତି ବିଷୟରେ ପ୍ରକାଶ କରିଥିଲେ । ଏହି ସତ୍ୟପାଠ ଅନୁଯାୟୀ, ମୈଥିଳୀଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ୪ କୋଟି ମୂଲ୍ୟର ଥିଲା । ୨୦୧୯-୨୦ରେ ତାଙ୍କର ବାର୍ଷିକ ଆୟ ୧୨.୦୨ ଲକ୍ଷ ଥିଲା, ଯାହା ୨୦୧୯-୨୦ରେ ୨୮.୬୭ ଲକ୍ଷ ହୋଇଛି ।

ମୈଥିଳୀ ୨୦୧୭ରେ ଜୀ ଟିଭିର “ଲିଟିଲ୍ ଚାମ୍ପସ୍” ଏବଂ “ରାଇଜିଂ ଷ୍ଟାର” ସମେତ ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ମଧ୍ୟ ଅଭିନୟ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭଲ ଫ୍ୟାନ ଫଲୋଇଂ ମଧ୍ୟ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ