ନୂଆପଡା ଉପ ନିର୍ବାଚନରେ ବିଜେଡିର ତୃତୀୟ ସ୍ଥାନ, କର୍ମୀଙ୍କ ମଧ୍ୟରେ ଅସନ୍ତୋଷ
ଭୁବନେଶ୍ୱର, ୧୮।୧୧ : ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନରେ ରହିଛି | ୨୦୨୪ ନିର୍ବାଚନ ପରେ ବିଜେଡି ପାଇଁ ଏହା ଏକ ଭଲ ସୁଯୋଗ ଥିଲା ଦଳକୁ ଦୃଢ କରିବା ପାଇଁ | କିନ୍ତୁ ଏହି ଉପ ନିର୍ବାଚନରେ ବିଫଳ ହେବା ପରେ ଦଳ ଭିତରେ ପୁଣିଥରେ ପରସ୍ପରକୁ ଦୋଷ ଦେବା ଆରମ୍ଭ ହୋଇଛି। କାହିଁକି ନୂଆପଡା ଜିଲ୍ଲାର କାହାକୁ ପ୍ରାର୍ଥୀ ନ କରାଇ ବାହାରୁ ଆଣି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦଳର ପ୍ରାର୍ଥୀ କରାଗଲା | ଏନେଇ ବିଜେଡି ନେତା ସମ୍ବିତ ରାଉତରାୟ ପ୍ରଶ୍ନ ଉଠାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡ଼ାକୁ ପ୍ରଚାର କରିବା ଲାଗି ୨ ଥର ଯାଇଥିଲେ | ତାହା ସତ୍ତ୍ୱେ ବି ବିଜେଡିର ବିଫଳତା ହୋଇଛି | ଏହାକୁ ନେଇ ନବୀନଙ୍କ ଲୋକପ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି |
ନିର୍ବାଚନ ଫଳାଫଳ ବାହାରିବାର ୨ ଦିନ ପରେ ଦଳର କିଛି ବରିଷ୍ଠ ନେତା ନବୀନଙ୍କୁ ସୋମବାର ଭେଟିଥିବା ସୂଚନା ମିଳୁଛି । ଏଥିରେ ନୂଆପଡା ଉପ ନିର୍ବାଚନକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି | ଆଲୋଚନା ସମୟରେ ଦଳ ଯେତିକି ଅର୍ଥ ଖର୍ଚ୍ଚ କରିବାକୁ ଦେବା କଥା ସେହି ଅନୁସାରେ ଟଙ୍କା ପହଞ୍ଚି ନଥିବା ଆଦି ବିଷୟ ଆଲୋଚନା ହୋଇଛି।
ଏଭଳି ସ୍ଥିତିରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରାର୍ଥୀ ଚୟନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଦଳର ସମସ୍ତଙ୍କ ସହିତ ବିଚାରବିମର୍ଷ କରାଯିବା କଥା। ଏଭଳି ବାହାର ଜିଲ୍ଲାର କାହାକୁ ଆଣି ପ୍ରାର୍ଥୀ କରାଇବା ଏକ ବଡ ଭୁଲ ନିଷ୍ପତ୍ତି ଥିଲା | ଯାହା ଦ୍ୱାରା ଏକ ପରାଜୟ ସାମ୍ନା କରିବାକୁ ପଡିଲା ଦଳକୁ | ଏହାସହ ଯେଉଁମାନେ ନିର୍ବାଚନ ପ୍ରଚାରରେ ଯାଇଥିଲେ ସେମାନଙ୍କୁ କିଏ ପଠାଇଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ଏବଂ ବିପର୍ଯ୍ୟୟର କାରଣ ଖୋଜିବା ଲାଗି ସମୀକ୍ଷା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି। ପରେ ବରିଷ୍ଠ ନେତା ତଥା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଯଦି ନବୀନ ପ୍ରଚାରକୁ ଯାଇ ନ ଥାଆନ୍ତେ ତାହାଲେ କୁହାଯାଇ ଥାଆନ୍ତା ବିଜେପି ସହିତ ବୁଝାମଣା ହୋଇଗଲା। ନୂଆପଡ଼ା ପରାଜୟର ସମୀକ୍ଷା ଦଳ ପକ୍ଷରୁ କରାଯିବ। ଯେଉଁମାନେ ନୂଆପଡ଼ା ଯାଇଥିଲେ ସେମାନେ ନବୀନଙ୍କ ଲୋକପ୍ରିୟତା କଥା ଜାଣିଛନ୍ତି। ଆଗାମୀ ସମୟ କହିବ ନବୀନ ବାବୁଙ୍କର କେତେ ଲୋକପ୍ରିୟତା ରହିଛି | ଗୋଟିଏ ବିପର୍ଯ୍ୟୟକୁ ନେଇ ସିଦ୍ଧାନ୍ତରେ ପହଞ୍ଚିବା ବୁଦ୍ଧିମାନର କାମ ନୁହେଁ। ଦଳର ସଭାପତି କଣ ତାଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରି ନ ଥାଆନ୍ତେ କି ବୋଲି ଗଣେଶ୍ୱର ସମ୍ବିତଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି। ୨୦୨୪ ନିର୍ବାଚନ ପରେ ଆଉ ଏକ ବିଫଳତା ଦଳକୁ ଆହୁରି ଅଶାନ୍ତି ଘେରକୁ ନେଇ ଆସିଛି |

