ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ବିଷ୍ଣୋଇକୁ ଅଣାଯାଉଛି ଭାରତ
ନୂଆଦିଲ୍ଲୀ,୧୯|୧୧: ଭାରତୀୟ ସୁରକ୍ଷା ଏଜେନ୍ସିକୁ ମିଳିଛି ବଡ଼ ସଫଳତା | ପୂର୍ବରୁ ଅନେକ ଅପରାଧିକ ମାମଲାରେ ଅନମୋଲ ବିଷ୍ଣୋଇଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା| ତାଙ୍କ ଉପରେ ଅନେକ ଅଭିଯୋଗ ରହିଥିଲା | ସଲମାନ ଖାନଙ୍କ ଘରେ ଗୁଳିକାଣ୍ଡ ଘଟଣାରେ ତାଙ୍କ ନାମରେ ଅଭିଯୋଗ ରହିଥିଲା | ପୂର୍ବତନ ଏନସିପି ବିଧାୟକ ବାବା ସିଦ୍ଦିକିଙ୍କ ହତ୍ୟା ମାମଲା, ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ|
ସୂଚନା ଅନୁୟାଯୀ, ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଡିପୋର୍ଟ କରି ଭାରତ ଅଣାଯାଉଛି। ଯିଏକି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅଟନ୍ତି | ସୂଚନା ଅନୁଯାୟୀ, ତାଙ୍କୁ ସକାଳ ୧୦ଟା ପୂର୍ବରୁ ଦିଲ୍ଲୀ ବିମାନବନ୍ଦରକୁ ଅଣାଯିବାର ରହିଛି।
ଅନମୋଲ ବିଷ୍ଣୋଇଙ୍କ ବିରୋଧରେ ଦେଶର ଅନେକ ସ୍ଥାନରେ ଅନେକ ଅପରାଧିକ ମାମଲା ରହିଛି। ଅନମୋଲକୁ ଲସ୍ ଆଞ୍ଜେଲସରେ ଗିରଫ କରାଯାଇଥିଲା। କିଛି ବର୍ଷ ପୂର୍ବରୁ ବିଦେଶରେ ତାଙ୍କୁ ପଞ୍ଜାବୀ ଗାୟକ କରଣ ଔଜଲାଙ୍କ ସହିତ ଏକ ପାର୍ଟିରେ ଦେଖିବାକୁ ମିଳିଥିଲା, ଯାହା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା | ତାଙ୍କୁ ୨୦୨୪ ରେ ଆମେରିକାରେ ଅଟକ ରଖାଯାଇଥିଲା | ଅନମୋଲଙ୍କ ଭାରତ ଫେରିବା ଗୁରୁତ୍ୱପୂର୍ଣ୍ଣ କାରଣ ସେ ଦେଶର ନୂଆ “ଡନ୍” ଲରେନ୍ସ ବିଷ୍ନୋଇଙ୍କ ଭାଇ, ଯିଏ ବର୍ତ୍ତମାନ ଗୁଜରାଟର ଅହମ୍ମଦାବାଦରେ ବନ୍ଦୀ ଅଛନ୍ତି। ଅନମୋଲ ଲରେନ୍ସ ଗ୍ୟାଙ୍ଗର ଅନେକ କାର୍ଯ୍ୟକଳାପର ଦାୟିତ୍ବ ନିଜେ ନେଉଥିଲା |
ସୂଚନା ଅନୁସାରେ, ଆମେରିକାର ଇମିଗ୍ରେସନ ବିଭାଗ “ଭାନୁ” ନାମରେ ଭାରତୀୟ ପାସପୋର୍ଟ ଥିବା ଜଣେ ବ୍ୟକ୍ତିଙ୍କ ଯାତ୍ରା ଡକ୍ୟୁମେଣ୍ଟ ଯାଞ୍ଚ କରୁଥିଲା। ଭିସା ଏବଂ ପାସପୋର୍ଟ ଯାଞ୍ଚ କରିବା ପରେ, ଇମିଗ୍ରେସନ ବିଭାଗକୁ ସନ୍ଦେହ ହୋଇଥିଲା। ତଦନ୍ତ ପରେ, ଜଣାପଡିଲା ଯେ ‘ଭାନୁ’ ଆଉ କେହି ନୁହଁନ୍ତି ବରଂ ଲରେନ୍ସ ବିଷ୍ଣୋଇଙ୍କ ସାନ ଭାଇ ତଥା ଗ୍ୟାଙ୍ଗଷ୍ଟର ଅନମୋଲ, ଯାହାଙ୍କ ମୁଣ୍ଡରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରହିଛି। ବିଷ୍ଣୋଇ ଆମେରିକା ଯାତ୍ରା କରିବା ପାଇଁ ଜାଲ କାଗଜପତ୍ର କରିଥିଲେ। ଆମେରିକା ଇମିଗ୍ରେସନ ବିଭାଗ ତୁରନ୍ତ FBI (ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍)କୁ ଜଣାଇଥିଲା, ଯାହା ଭାରତୀୟ ଏଜେନ୍ସିଗୁଡ଼ିକ ସହିତ ମିଶି ଅନମୋଲ ବିଷ୍ଣୋଇଙ୍କ ଗିରଫଦାରୀ ବିଷୟରେ ସୂଚନା ଦେଇଥିଲା।

