ସୁଜାତା କାର୍ତ୍ତିକେୟନଙ୍କୁ ମିଳିପାରେ ନୂଆ ଦାୟିତ୍ୱ!
ଭୁବନେଶ୍ୱର,୨୪|୧୧: ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନରେ ରହିବା ପରେ ବିଜୁ ଜନତା ଦଳରେ ଦେଖା ଦେଇଛି ଅସନ୍ତୋଷ। କିଛି ନେତା ପରୋକ୍ଷରେ ନେତୃତ୍ବ ଏବଂ ଦଳର ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଏହା ମଧ୍ୟରେ ଦଳର କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା। କୁଆଡେ ସୁଜାତା କାର୍ତ୍ତିକେୟନ ବିଜେଡିର କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି | ଏବଂ ସଭାପତି ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯାଇପାରନ୍ତି, ଏବଂ ତାଙ୍କ ବଦଳରେ ସେଠାରେ ଉପନିର୍ବାଚନ ସୁଜାତା ଲଢ଼ିପାରନ୍ତି ବୋଲି ଆଶଂକା ମଧ୍ୟ କରାଯାଉଛି । ତେବେ ଏ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ | ତଥାପି ରବିବାର ବିଜୁ ଜନତା ଦଳର ପରବର୍ତ୍ତୀ ଉତ୍ତରାଧିକାରୀକୁ ନେଇ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ କହିଛନ୍ତି ଯେ, ଯେତେବେଳେ ଘୋଷଣା ହେବ ସେତେବେଳେ ଜଣାପଡିବ । ଦଳ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଲେ ଅବା ସଭାପତି ନିର୍ଦ୍ଦେଶ ଦେଲେ ସମସ୍ତେ ଜାଣିପାରିବେ।
ନୂଆପଡ଼ା ଉପନିର୍ବାଚନ ପରାଜୟ ପରେ ତାହାର ସମୀକ୍ଷା ପାଇଁ ନବୀନ ନିବାସରେ ବସିଥିଲା ଦଳୀୟ ରାଜନୈତିକ ବ୍ୟାପାର କମିଟି ବୈଠକ। ବୈଠକରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ଯେ, ନୂଆପଡ଼ାରେ ପରାଜୟକୁ ନେଇ ସମୀକ୍ଷା କରାଯାଇଥିଲା। ମାତ୍ର ଏହା ଭିତରେ ସୂଚନା ମିଳିଛି ଯେ, ବୈଠକରେ ଉତ୍ତରାଧିକାରୀକୁ ନେଇ ପ୍ରସଙ୍ଗ ମଧ୍ଯ ଉଠିଥିଲା। ଆସନ୍ତା ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ଅବସରରେ ଆନୁଷ୍ଠାନିକ ଭାବେ ନବୀନ କାହାକୁ ଦାୟିତ୍ବ ଦେବେ ତାହାର ଘୋଷଣା ହୋଇପାରେ। ଏହା ଭିତରେ ଦଳର ୮ଜଣ ବିଧାୟକ ନବୀନ ନିବାସ ଯାଇ ପାଣ୍ଡିଆନ ଦମ୍ପତିଙ୍କ ହାତରେ ସଂଗଠନ ଦାୟିତ୍ବ ଦେବାକୁ ନବୀନଙ୍କୁ ଅନୁରୋଧ କରିଥିବାର ଅନୁମାନ କରାଯାଉଛି। ଏହି ବିଧାୟକଙ୍କ ଭିତରେ ଧ୍ରୁବ ସାହୁ, ସୁଦର୍ଶନ ହରିପାଲ, ସାରଦା ଜେନା, ପ୍ରଦୀପ ସାହୁ ପ୍ରମୁଖ ରହିଥିବା ଜଣାପଡିଛି। ଏଥିସହ କିଛି ପୁରୁଖା ନେତା ମଧ୍ଯ ନବୀନ ନିବାସ ଯାଇ ଆଲୋଚନା କରିଥିବା କୁହାଯାଉଛି। ତେଣୁ କୁହାଯାଉଛି ଯେ, ସୁଜାତାଙ୍କ ପ୍ରବେଶକୁ ନିଶ୍ଚିତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ। ତେବେ ଏହି କଥାରେ କେତେ ସତ୍ୟତା ରହିଛି ତାହା ଡିସେମ୍ବର ୨୬ରେ ଦଳର ପ୍ରତିଷ୍ଠା ଦିବସ ପରେ ଜଣାପଡିବ|

