ଝାଙ୍ଗନାନ୍ ଆମର; ଏୟାର ପୋର୍ଟରେ ଭାରତୀୟ ମହିଳାଙ୍କୁ ଅଟକ ଘଟଣାରେ ଚୀନର ପ୍ରତିକ୍ରିୟା
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଜଣେ ଭାରତୀୟ ମହିଳା ସାଂଘାଇ ବିମାନବନ୍ଦରରେ ଦୁର୍ବ୍ୟବହାର ଅଭିଯୋଗ କରିଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିଛି ଚୀନ୍। ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରି, ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶ ଉପରେ ବେଜିଂର ବିବାଦୀୟ ଦାବିକୁ ପୁନର୍ବାର ଦୋହରାଇଛି, ଯାହାକୁ ଏହା “ଝାଙ୍ଗନାନ” ବୋଲି କୁହାଯାଉଛି।
ଏହି ସମୟରେ ଭାରତ ସ୍ପଷ୍ଟ କରିଛି ଯେ ଅରୁଣାଚଳ ପ୍ରଦେଶ ଏହାର ଅବିଚ୍ଛେଦ୍ୟ ଏବଂ ନିର୍ବିବାଦୀୟ ଅଞ୍ଚଳ। ସୂଚନା ଅନୁଯାୟୀ, ନଭେମ୍ବର ୨୧ ତାରିଖରେ ୟୁକେରେ ରହୁଥିବା ଜଣେ ଭାରତୀୟ ନାଗରିକ ପେମା ୱାଙ୍ଗଜୋମ ଥଙ୍ଗଡୋକ୍ ଲଣ୍ଡନରୁ ଜାପାନ ଯାତ୍ରା କରୁଥିଲେ। ତାଙ୍କ କହିବାନୁଯାୟୀ ଚୀନ୍ ଇମିଗ୍ରେସନ ଅଧିକାରୀମାନେ ତାଙ୍କ ପାସପୋର୍ଟକୁ କେବଳ ତାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଭାବରେ ତାଲିକାଭୁକ୍ତ କରିବା ଯୋଗୁଁ ଅବୈଧ ଘୋଷଣା କରିଥିଲେ। ପରେ ତାଙ୍କର ତିନି ଘଣ୍ଟାର ଯାତ୍ରା ୧୮ ଘଣ୍ଟାର ଅଗ୍ନିପରୀକ୍ଷାରେ ପରିଣତ ହୋଇଥିଲା। ଏପରିକି ତାଙ୍କୁ କିଛି ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ସେ କହିଥିଲେ। ଯାହାକୁ ନେଇ ସେ ତାଙ୍କର ଜଣେ ସାଙ୍ଗଙ୍କ ଜରିଆରେ ଭାରତୀୟ ଦୂତାବାସର ସହାୟତା ଲୋଡ଼ିଥିଲେ। ପରେ ଏନେଇ ସେ ସୋସିଆଲ ମିଡିଆରେ ମଧ୍ୟ ସୂଚନା ଦେଇଥିଲେ।
ଘଟଣାର ପ୍ରତିକ୍ରିୟା ଦେଇ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ ଥଙ୍ଗଡୋକ୍ କୌଣସି ପ୍ରକାରର ଜବରଦସ୍ତି, ଅଟକ କିମ୍ବା ହଇରାଣର ଶିକାର ହୋଇ ନଥିଲେ। କର୍ତ୍ତୃପକ୍ଷମାନେ ଆଇନଗତ ଏବଂ ନିୟନ୍ତ୍ରିତ ପ୍ରକ୍ରିୟା ଅନୁଯାୟୀ କାର୍ଯ୍ୟ କରିଥିଲେ ଏବଂ ବିମାନ କମ୍ପାନୀ ତାଙ୍କୁ ଖାଦ୍ୟ, ପାଣି ଏବଂ ବିଶ୍ରାମ ଯୋଗାଇଥିଲା। ମାଓ ନିଙ୍ଗ୍ ଆହୁରି ମଧ୍ୟ କହିଥିଲେ, “ଝାଙ୍ଗନାନ୍ ଚୀନ୍ର ଏକ ଅଂଶ। ଭାରତ ଦ୍ୱାରା ସୃଷ୍ଟି ହୋଇଥିବା ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚୀନ୍ କେବେବି ଗ୍ରହଣ କରିବ ନାହିଁ।”

