ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଦ୍ଵିତୀୟ ଦିନିକିଆ ମ୍ୟାଚ; ଏହା ପୂର୍ବରୁ ବିସିସିଆଇ ହଠାତ୍ ଡାକିଛି ବୈଠକ
ମୁମ୍ବାଇ ;୧|୧୨: ଭାରତ -ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଯାଉଛି ଦ୍ଵିତୀୟ ଦିନିକିଆ ମ୍ୟାଚ | ଏହି ମ୍ୟାଚ ପୂର୍ବରୁ ବିସିସିଆଇ ହଠାତ୍ ଡାକିଛି ବୈଠକ। ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ ସହ ଶୀର୍ଷ ଅଧିକାରୀଙ୍କୁ ମଧ୍ୟ ଏହି ବୈଠକ ପାଇଁ ଡକାଯାଇଛି । ଷ୍ଟାର ସ୍ପୋର୍ଟ୍ସର ରିପୋର୍ଟ ଅନୁସାରେ, ବୁଧବାର ରାୟପୁରରେ ଦ୍ଵିତୀୟ ଦିନିକିଆ ମ୍ୟାଚ ହେବ | ସେହି ଦିନ ହିଁ ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ। ଯେଉଁ ବୈଠକରେ କିଛି ବିଶେଷ ପ୍ରସଙ୍ଗରେ ବିସିସିଆଇ ଆଲୋଚନା କରିବ।
ଭାରତୀୟ ଦଳର ଆଗଧାଡିର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଛି । ବିଗତ ମ୍ୟାଚ୍ ଗୁଡ଼ିକରେ ବିରାଟ ଓ ରୋହିତ ଉଭୟ ଉତ୍ତମ ପ୍ରଦର୍ଶନ କରି ଫର୍ମକୁ ଫେରିଛନ୍ତି ।କୁହାଯାଉଛି ଯେ , ବୁଧବାର ବୈଠକରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଯୁଗ୍ମ ସମ୍ପାଦକ ପ୍ରଭତେଜ ସିଂହ ଭାଟିଆ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ସାମିଲ୍ ହେବେ । ଏହି ବୈଠକରେ ବିସିସିଆଇର ନବ ନିଯୁକ୍ତ ସଭାପତି ମିଥୁନ ମାନହସ ସାମିଲ୍ ହେବେ କି ନା ସ୍ପଷ୍ଟ ହୋଇନାହିଁ । ଦ୍ଵିତୀୟ ଦିନିକିଆ ଦିନ ବୈଠକ ଥିବାରୁ ଏଥିରେ କୋହଲି, ବିରାଟଙ୍କ ଭଳି ଅନ୍ୟ ବରିଷ୍ଠ ଖେଳାଳିଙ୍କୁ ବିସିସିଆଇ ଡାକିବା ସମ୍ଭାବନା କମ୍ ରହିଛି ।
ସୂଚନା ମୁତାବକ, ଦଳରେ ଖେଳାଳି ଚୟନ ସ୍ଥିରତା ଉପରେ ଗୁରୁତ୍ଵ ଦେବାକୁ ବିସିସିଆଇ ଏହି ବୈଠକ ଡାକିଛି । ଲମ୍ବା ସମୟକୁ ଦୃଷ୍ଟିରେ ରଖି ଦଳ ଓ ଖେଳାଳିଙ୍କ ପ୍ରଦର୍ଶନ ଭିତ୍ତିରେ ଟିମ୍ ଗଠନ କରାଯିବ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ନିଜ ମାଟିରେ ଭାରତ ହାରିଛି । ବିସିସିଆଇ ବୈଠକରେ ଏହା ଉପରେ ବି ଆଲୋଚନା ହୋଇପାରେ । ଗୌତମ ଗମ୍ଭୀର ଓ ଅଜିତ ଅଗରକର ଉଭୟ ଏହି ବୈଠକରେ ରହିବେ । ଯେଉଁଥିରେ ଦଳର ପରବର୍ତ୍ତୀ ପଦକ୍ଷେପ ଓ ପରିଚାଳନା ନେଇ ଆଲୋଚନା ହୋଇପାରେ ।
ଘରୋଇ ଟେଷ୍ଟରେ ଭାରତର ପ୍ରଦର୍ଶନ ଖରାପ ରହିବାକୁ ନେଇ ବିସିସିଆଇ ଚିନ୍ତା ପ୍ରକଟ କରିଛି । ଆଗକୁ ଟିମ୍ କ’ଣ ପ୍ଲାନିଂ କରୁଛି ତା ଉପରେ ବି ଗୁରୁତ୍ଵ ଦେଇଛି ବିସିସିଆଇ । ଆଗକୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ ରହିଥିବାରୁ ବିସିସିଆଇ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ତେବେ ବୁଧବାର ବିସିସିଆଇର ବୈଠକ ପରେ ହିଁ ଜଣାପଡ଼ିବ ଭାରତୀୟ ଦଳ ଓ ଖେଳାଳିଙ୍କୁ ନେଇ ନିଆଗଲା କେଉଁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ।

