ମଣ୍ଡି ଖୋଲିବାରେ ବିଳମ୍ବ ହେବାରୁ ଗାଁ ଗାଁ ରେ ଦଲାଲ ସକ୍ରିୟ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବର୍ତ୍ତମାନ ଖରିଫ ଧାନ ପ୍ରାୟତଃ ପଚାଶ ପ୍ରତିଶତ ଅମଳ ହୋଇସାରିଲାଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନମଣ୍ଡି ଖୋଳାଯାଇ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ଖୋଲିବା ପାଇଁ ଆସନ୍ତା ୯ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହାର ସୁଯୋଗ ନେଇ ଏବେ ଗାଁ ଗାଁ ରେ ଧାନ ବେପାରୀ ଓ ଦଲାଲ ମାନେ ସକ୍ରିୟ ହୋଇ ପଡିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଶ୍ରମିକ ପାଉଣା, ମେଡିକାଲ ଖର୍ଚ୍ଚ, ସାଙ୍ଗକୁ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ପାଇଁ ଚାଷୀଙ୍କୁ ଟଙ୍କାର ଆବଶ୍ୟକତା ରହିଛି।
ଏହାର ସୁଯୋଗ ନେଇ ଅଞ୍ଚଳରେ ଦଲାଲ ମାନେ ମିଲର୍ସଙ୍କ ସହାୟତାରେ ସକ୍ରିୟ ରହିଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଚାଷୀ ମାନେ ନିହାତି ଜରୁରୀ ପରିସ୍ଥିତିରେ ନିଜ କଷ୍ଟୋପର୍ଜିତ ଧାନକୁ କମ ମୂଲ୍ୟରେ ଦଲାଲଙ୍କ ହାତରେ ଟେକି ଦେବାକୁ ବାଧ୍ୟ ହେଉଛନ୍ତି। ବର୍ତ୍ତମାନ ମଣ୍ଡି ଖୋଲିନଥିବାରୁ ମିଲର୍ସ ମାନେ ଦଲାଲ ସହାୟତାରେ କମ ଦରରେ ଧାନ କ୍ରୟ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଖୁବଶିଘ୍ର ଧାନ କ୍ରୟ କରିବାକୁ ଚାଷୀ ମାନେ ଦାବି କରିଛନ୍ତି।

