କୋଣାର୍କ ନୃତ୍ୟ ଉତ୍ସବ’ ଯୋଗଦେଉଥିବା ଅତିଥିମାନଙ୍କ ରହିଛି ଜୀବନ ପ୍ରତି ବିପଦ ; ପରଷା ଯାଉଛି ନିମ୍ନମାନର ଖାଦ୍ୟ
କୋଣାର୍କ ;୪|୧୨: ଅନ୍ତର୍ଜାତୀୟ ନୃତ୍ୟ ଉତ୍ସବ ଭାବରେ ପରିଚିତ ‘କୋଣାର୍କ ନୃତ୍ୟ ଉତ୍ସବ’ରେ ଘଟିଛି ଚାଞ୍ଚଲ୍ୟକର ଘଟଣା ଯାହା ସେଠାକୁ ଆସିଥିବା ଅତିଥିମାନଙ୍କ ଜୀବନ ପ୍ରତି ବିପଦର ସଂକେତ ଦେଉଛି | ସେହି ଉତ୍ସବରେ ଯୋଗଦେଇଥିବା ଅତିଥିମାନଙ୍କୁ ପରଷା ଯାଉଛି ନିମ୍ନମାନର ଖାଦ୍ୟ। ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଖାଦ୍ୟ। ଏନେଇ ଏକ ଭୟଙ୍କର ଅଭିଯୋଗ ଆସିଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଉଛି। କୋଣାର୍କରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ୫ ଦିନିଆ ୩୬ ତମ କୋଣାର୍କ ନୃତ୍ୟ ଉତ୍ସବ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରିବାକୁ ରାଜ୍ୟ ସରକାର ପ୍ରୟାସ କରିଛନ୍ତି। କିନ୍ତୁ ଖୋଦ ପର୍ଯ୍ୟଟନ ବିଭାଗର କେତେକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏହା ଏବେ ପ୍ରହସନରେ ପରିଣତ ହୋଇ ନିନ୍ଦିତ ହେଉଛି ।
ପର୍ଯ୍ୟଟନ ବିଭାଗ ପକ୍ଷରୁ ଅତିଥିମାନଙ୍କ ନିମନ୍ତେ ବିଶେଷ ଭାବେ ପ୍ରଚାର ଓ ପ୍ରସାର ପାଇଁ ଆସିଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରତେକ ଦିନ ରାତ୍ରୀକାଳୀନ ଖାଦ୍ୟ ମାଗଣାରେ ଦେବାପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ନିଗମକୁ ଦାୟିତ୍ୱ ଦିଆଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥାଏ। ମାତ୍ର କେତେକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅତିଥିମାନଙ୍କ ପାଇଁ ଖାଦ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଥିବା ପର୍ଯ୍ୟଟନ ନିଗମର ଗୀତାଞ୍ଜଳି ରେଷ୍ଟୁରାଣ୍ଟରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଥିବା ଖୋଲା ସ୍ଥାନରେ ରାତ୍ରୀ ସମୟରେ ଅତି ନିମ୍ନମାନର ଜିନିଷ ପ୍ରୟୋଗ କରାଯାଇ ଖାଦ୍ୟ ତିଆରି କରାଯାଇ ଖାଇବାକୁ ଦିଆଯାଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାଇ ନୃତ୍ୟ ଉତ୍ସବର ତୃତୀୟ ଦିନରେ ପର୍ଯ୍ୟଟନ ନିଗମ ଦ୍ୱାରା ସମସ୍ତ ନୀତିନିୟମକୁ ପଛରେ ପକାଇ ଅଧିକାରୀମାନେ ସାଧାରଣ ଚାଉଳରେ ବିରିୟାନି ତିଆରି କରି ଜଣକା ଖାଦ୍ୟ ଟୋକନ ଅନୁଯାୟୀ ଗୋଟେ ଲେଖା ପାର୍ସଲ ବ୍ୟାଗ ଦିଆ ଯାଇଥିଲା। ଯାହାକୁ ଅତିଥିମାନେ ବିନା ଥାଳି ଓ ପିଇବା ପାଣିରେ କିପରି ଖାଇବେ ଉପସ୍ଥିତ କର୍ମଚାରୀଙ୍କୁ ପଚାରିବାରେ ସେ ଚୁପ ରହିଥିଲେ। ଉଚ୍ଚ ଅଧିକାରୀଙ୍କ ନିର୍ଦେଶରେ କରାଯାଉଛି ଆମେ କିଛି କହି ପାରିବୁ ନାହିଁ ବୋଲି ସେମାନେ କହିଥିଲେ। ଅନେକ ଅତିଥି ଏପରି ଖାଦ୍ୟକୁ ନ ଖାଇ ଫେରି ଯାଇଥିଲା ବେଳେ ଅନେକ ଏହି ଅଖାଦ୍ୟକୁ ଭୟରେ ନ ଖାଇ ଫିଙ୍ଗି ଦେଇଥିଲେ। ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ନିଗମର ଏପରି ନୀତିକୁ ସାଧାରଣରେ ନିନ୍ଦା କରାଯାଇଛି। ଏନେଇ ଉଚ୍ଚ ଅଧିକାରୀଙ୍କ ଦ୍ଵାରା ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

