ବିଦେଶୀ ଅତିଥିଙ୍କ ସହିତ ଆମକୁ ସାକ୍ଷାତ କରିବାକୁ ଦିଆଯାଉନି : କଂଗ୍ରେସ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୫|୧୨: ଗତ କାଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି | ଦିଲ୍ଲୀର ପାଲମ୍ ଏୟାରପୋର୍ଟରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ପୁଟିନଙ୍କ ଗସ୍ତକୁ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ, ବିଦେଶୀ ରାଷ୍ଟ୍ରମୁଖ୍ୟ ଏବଂ ଉଚ୍ଚସ୍ତରୀୟ ଅତିଥିଙ୍କୁ ବିରୋଧୀ ଦଳ ନେତାଙ୍କ ସହ ଦେଖା କରିବାକୁ ଅନୁମତି ଦିଆଯାଉନାହିଁ। ଏନେଇ ସେ କେନ୍ଦ୍ର ସରକାରକୁ କଡା ସମାଲୋଚନା ମଧ୍ୟ କରିଛନ୍ତି। ସେ ଆହୁରି କହିଛନ୍ତି, ‘ଏହା ଅତ୍ୟନ୍ତ ଲଜ୍ଜାଜନକ ଯେ, ଭାରତ ସରକାର ବିଦେଶୀ ଅତିଥିଙ୍କୁ ଲୋକସଭା ବିରୋଧୀ ଦଳ ନେତାଙ୍କ ସହ ଦେଖା କରିବାକୁ ଅନୁମତି ଦେଉ ନାହାନ୍ତି। ଏହା ଦେଶର ଛବିକୁ କ୍ଷତି କରୁଛି ବୋଲି ରାହୁଲ କହିଛନ୍ତି।
ଅନ୍ୟପଟେ ସରକାର ସ୍ପଷ୍ଟ କରିଛନ୍ତି ଯେ, କୌଣସି ବିଦେଶୀଙ୍କ ଗସ୍ତ ସମୟରେ କାହାକୁ ଭେଟିବା ସଂପୂର୍ଣ୍ଣ ଭାବେ ଅତିଥିଙ୍କ ଇଚ୍ଛାଧୀନ। ଜେଡିୟୁ ନେତା କେସି ତ୍ୟାଗୀ ମଧ୍ୟ ରାହୁଲଙ୍କୁ ଜବାବ ଦେଇ କହିଛନ୍ତି ଯେ, ପ୍ରୋଟୋକଲ ଅନୁଯାୟୀ ବିଦେଶୀ ରାଷ୍ଟ୍ରମୁଖ୍ୟ କାହାକୁ ଭେଟିବା ସଂପର୍କରେ ସେ ନିଜେ ହିଁ ନିଷ୍ପତ୍ତି ନିଅନ୍ତି। କୌଣସି ଭାରତୀୟ ନେତା ତାଙ୍କୁ ଭେଟିବାକୁ ଚାହୁଥିଲେ, ସେମାନେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କିମ୍ବା ସମ୍ପୃକ୍ତ ଦୂତାବାସ ମାଧ୍ୟମରେ ନିଯୁକ୍ତି ପାଇଁ ଅନୁରୋଧ କରିବା ଆବଶ୍ୟକ। ରାହୁଲ ଗାନ୍ଧୀ ଏଥିମଧ୍ୟରୁ କେଉଁ ପଦ୍ଧତି ଅନୁସରଣ କରିଛନ୍ତି ବୋଲି ତ୍ୟାଗୀ ରାହୁଲଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି।

