ବିଜେଡ଼ିକୁ ଲାଗିଲା ଶକ୍ତ ଝଟକା; ଶଙ୍ଖକୁ ଛାଡି ପଦ୍ମ ଧରିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ
ଭୁବନେଶ୍ୱର ; ୬|୧୨: ବିଜେଡିକୁ ଲାଗିଲା ଶକ୍ତ ଝଟ୍କା | ବାପା ବିଜେଡି ଦଳରେ ଥିବାବେଳେ ବିଜେପି ଦଳରେ ଦୁଇ ପୁଅ ମିଶିଲେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ବିଶାଳ ମିଶ୍ରଣ ପର୍ବରେ ବିରୋଧୀ ଦଳ ବିଜେଡିକୁ ଶକ୍ତ ଝଟ୍କା ଲାଗିଛି । ବିଜେପିର ‘ଅପରେସନ ଲୋଟସ’ ଅଭିଯାନ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଆନୁଷ୍ଠାନିକ ଭାବେ ପଦ୍ମ ଧରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କେବଳ ପ୍ରଫୁଲ୍ଲ ସାମଲଙ୍କ ପରିବାର ସାମିଲ ନଥିଲେ | ଏହା ଭଦ୍ରକ ଜିଲ୍ଲାର ରାଜନୈତିକ ସମୀକରଣକୁ ମଧ୍ୟ ଦୋହଲାଇ ଦେଇଛି । ନିକଟରେ ବିଜେଡି ଛାଡିଥିବା ଭଦ୍ରକ, ବନ୍ତ, ଭଣ୍ଡାରୀପୋଖରୀ ଏବଂ ବାସୁଦେବପୁରର ୪ ଜଣ ବ୍ଲକ ଅଧ୍ୟକ୍ଷ ବିଜେପିରେ ସାମିଲ ହୋଇଥିଲେ । ଏହା ବ୍ୟତୀତ ଭଦ୍ରକ ଜିଲ୍ଲାର ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ଓ ବ୍ଲକ ସ୍ତରୀୟ ବହୁ ବିଜେଡି ନେତା ଓ କର୍ମୀ ଆଜି ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏହି ନେତାମାନେ ନିଜର ଦଳ ପରିବର୍ତ୍ତନ କରି ବିଜେପିରେ ସାମିଲ ହୋଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଗୋଟେ ପଟେ ଧିରେ ଧିରେ ବିଜେଡିର ସଙ୍ଗଠନ ଦୁର୍ବଳ ହେଉଥିବା ବେଳେ ଅନ୍ୟ ପଟେ ବିଜେପି ନିଜ ସ୍ଥିତିକୁ ଅଧିକ ସୁଦୃଢ଼ ଓ ସଶକ୍ତ କରିବାରେ ଲାଗିଛି । ଭବିଷ୍ୟତରେ ଏହି ମିଶ୍ରଣର ପ୍ରଭାବ ଭଦ୍ରକ ରାଜନୀତିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

