ଗଣଶିକ୍ଷା ବିଭାଗ ତରଫରୁ ବଡ଼ ସୂଚନା ; ଲାଇବ୍ରେରିଆନ୍ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ନିଯୁକ୍ତ କରିବେ ସରକାର
ଭୁବନେଶ୍ୱର;୭ା୧୨: ରାଜ୍ୟରେ ସର୍ବ ମୋଟ ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଥିବା ବେଳେ ସେଥିରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବାକୁ ଯାଉଛି। ସମସ୍ତ ଓଏଭିରେ ଏକ ନୂତନ ପଦବୀ ସୃଷ୍ଟି କରାଯାଇଛି | ଏଥିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ରହିବେ। କିନ୍ତୁ ଅନ୍ୟପଟେ ବିଦ୍ୟାଳୟରେ ପୂର୍ବରୁ ଥିବା ଲାଇବ୍ରେରିଆନ୍ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଶିକ୍ଷକ ନିଯୁକ୍ତି କରିବା ବଦଳରେ ସରକାର ପଦବୀକୁ ଉଚ୍ଛେଦ କରୁଛନ୍ତି | ଏ ସମ୍ପର୍କରେ କାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଫ୍ଏ କମ୍ ସ୍ପେଶାଲ ସେକ୍ରେଟାରି ଶିବାଶିଷ ଧଳ ରାଜ୍ୟର ପ୍ରଧାନ ମହାଲେଖାକାର (ଏଜି)ଙ୍କୁ ଅବଗତ କରିଛନ୍ତି।
ତେବେ ଏହି ନୂଆ ନିୟମରେ ଲାଇବ୍ରେରିଆନ୍ ପଦ ଉଚ୍ଛେଦ କରାଯାଇଛି | ଏହା କରିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଓଡ଼ିଶା ଲାଇବ୍ରେରି ମୁଭ୍ମେଣ୍ଟ (ଓଏଲ୍ଏମ୍) ଆବାହକ ସୁନୀଲ କୁମାର ମିଶ୍ର କହିଛନ୍ତି, ନୂତନ ସରକାର ଆସିବାର ଦେଢ଼ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାବତ୍ ୩୧୪ ଓଏଭିରେ ନୂତନ ନିଯୁକ୍ତି ପାଇଁ ଆଶାନୁରୂପ ବିଜ୍ଞପ୍ତି ବାହାରିଲା ନାହିଁ। ଏହା ପରିବର୍ତ୍ତେ ସରକାର ନୂତନ ପଦ ସୃଷ୍ଟି ନ କରି ପୁରୁଣା ପଦଗୁଡିକୁ ଉଚ୍ଛେଦ କରୁଛନ୍ତି। ଗ୍ରନ୍ଥାଗାରିକ ଆଶାୟୀମାନେ ବାରମ୍ୱାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ ସେମାନଙ୍କୁ ନିଯୁକ୍ତି ନ ଦେଇ ସମ୍ପୂର୍ଣ୍ଣ ପଦକୁ ଉଚ୍ଛେଦ କରିବା ନିଷ୍ପତ୍ତି ନେଇଛନ୍ତି | ଏହି ଭଳି ନିଷ୍ପତି ସମସ୍ତ ଆଶାୟୀମାନଙ୍କୁ ନିରାଶ କରିଛି। ଗ୍ରନ୍ଥାଗାରିକ ପଦ ରହିବା ସହ ନୂତନ ଭାବେ ଓଡ଼ିଆ ଶିକ୍ଷକ ପଦ ସୃଷ୍ଟି କରାଯାଇ ପାରିଥାନ୍ତା। ହେଲେ ସରକାର ସେପରି ନ କରି ସିବିଏସ୍ଇ ନିୟମକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ କହିଛନ୍ତି।

