ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଆବାସର ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ; ଶୁଣିଲେ ଆଶ୍ଚଯ୍ୟ ହୋଇଯିବେ
ଭୁବନେଶ୍ୱର ; ୮|୧୨: ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେଶନ | ଏହି ଅଧିବେଶନର ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଛି ଆଲୋଚନା | ତେବେ ଏହାଭିତରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି | ସମସ୍ତ ମନ୍ତ୍ରୀମାନଙ୍କର ଅଲଗା ଅଲଗା ଖର୍ଚ୍ଚ ତାଲିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଥିଲେ । ଏହି ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ଏହି ତାଲିକାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି |
ତେବେ ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ତାଲିକା ଉପସ୍ଥାପନ କରିଛନ୍ତି। ଦିଆଯାଇଥିବା ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ରହୁଥିବା ସରକାରୀ ଆବାସର ମରାମତି ପାଇଁ ୫୦ ଲକ୍ଷ ୧୦ ହଜାର ୮୭୧ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆଉ ଏକ ସରକାରୀ ବାସଭବନ ପାଇଁ ୨୩ ଲକ୍ଷ ୪୭ ହଜାର ୪୮୭ ଟଙ୍କା ଖର୍ଚ୍ଚ ହୋଇଛି ।
ଅପରପକ୍ଷରେ ଅନ୍ୟମନ୍ତ୍ରୀମାନଙ୍କର ସରକାରୀ ଘର ମରାମତି ଖର୍ଚ୍ଚ ମଧ୍ୟ ସେ ଦେଇଛନ୍ତି | ସେଥିମଧ୍ୟରୁ ମନ୍ତ୍ରୀ ଗୋକଳାନନ୍ଦ ମଲ୍ଲିକଙ୍କ ଘର ମରାମତି ପାଇଁ ୧୮ ଲକ୍ଷ ୯୦ ହଜାର, କେଭି ସିଂହଦେଓଙ୍କର ଘର ମରାମତି ପାଇଁ ୨୮ ଲକ୍ଷ ୨୧ ହଜାର, ସମ୍ପଦ ସ୍ୱାଇଁଙ୍କ ଘର ମରାମତି ପାଇଁ ୧୯ ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହାସହିତ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସରକାରୀ ଆବାସ ମରାମତି ପାଇଁ ୧୦ ଲକ୍ଷ ୫୯ ହଜାର ଖର୍ଚ୍ଚ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସରକାରୀ ଆବାସ ମରାମତି ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୭୨ ହଜାର । କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପାଇଁ ୧୭ ଲକ୍ଷ ୯୮ ହଜାର, ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ଆବାସ ପାଇଁ ୨୦ ଲକ୍ଷ ୯୩ ହଜାର, ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଆବାସ ମରାମତି ପାଇଁ ୨୫ ଲକ୍ଷ ୭୪ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

