ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପଙ୍କ ନାମରେ ସଙ୍ଗୀନ ଅଭିଯୋଗ
ପାଟଣା: ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ନାମରେ ସଙ୍ଗୀନ ଅଭିଯୋଗ | ଅଭିଯୋଗ ଆଣିଛନ୍ତି ତାଙ୍କର ଅତି ନିକଟତର ସହଯୋଗୀ ତଥା ନିଜକୁ ମନ୍ତ୍ରୀଙ୍କ ହନୁମାନ କହୁଥିବା ଅଭିନାଶ କୁମାର ଓରଫ ସୌରଭ | ଏହି ଅଭିଯୋଗ ପରେ ରାଜନୈତିକ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି।
ଅଭିନାଶ କୁମାର ଓରଫ ସୌରଭ ନିଜକୁ ତେଜ ପ୍ରତାପଙ୍କ ହନୁମାନ ବୋଲି ଦାବି କରନ୍ତି। ତେଜ ପ୍ରତାପଙ୍କ ବିରୋଧରେ ଅଭିଯୋଗ କରି ଅଭିନାଶ କହିଛନ୍ତି ଯେ, ‘ଯାଦବ ସାର ମୋ ଉପରେ ରାଗି ଯାଇ ମୋବାଇଲ୍ ଫୋନ୍ କୁ ମୋଠାରୁ ଛଡ଼ାଇ ନେଇଥିଲେ। ତା’ପରେ ମୋତେ ତାଙ୍କ ସରକାରୀ ବାସଭବନ, ବଙ୍ଗଳା ନମ୍ବର ୨୬କୁ ଡାକିଥିଲେ। ମୁଁ ବଙ୍ଗଳାରେ ପହଞ୍ଚିବା ପରେ ମୋତେ ଆକ୍ରମଣ କରାଯାଇଥିଲା। କେବଳ ସେତିକି ନୁହେଁ, ମୋର ପୋଷାକ କାଢ଼ି ଦେଇ ଏକ ଅଶ୍ଳୀଳ ଭିଡିଓ ମଧ୍ୟ ତିଆରି କରାଯାଇଥିଲା। ସେଠାରେ ଉପସ୍ଥିତ ଲୋକମାନେ ଏସବୁ ଦେଖୁଥିଲେ, କିନ୍ତୁ କେହି ମୋତେ ସାହାଯ୍ୟ କରି ନଥିଲେ | ମୋ ଫୋନ ରାତି ୯ଟାରୁ ରାତି ୧.୩୦ ପର୍ଯ୍ୟନ୍ତ ପ୍ରତାପଙ୍କ ବାସଭବନରେ ରଖାଯାଇଥିବା ହେତୁ ମୁଁ ଘଟଣା ବିଷୟରେ କାହାକୁ କିଛି ଜଣାଇପାରି ନଥିଲି।’
ଏହି ଘଟଣା ପରେ ସୌରଭ ଯାଦବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଗଣମାଧ୍ୟମ ସହିତ କଥା ହୋଇ ସେ କହିଛନ୍ତି ଯେ, ନିର୍ବାଚନ ସମୟରେ ସେ ତେଜ ପ୍ରତାପ ଯାଦବଙ୍କ ପାଇଁ ଦିନରାତି ପ୍ରଚାର କରିଥିଲେ, ଗାଁରୁ ଗାଁ ବୁଲି ଭୋଟ ମାଗିଥିଲେ ଏବଂ ସୋସିଆଲ ମିଡିଆରେ ତାଙ୍କ ପ୍ରତିଛବି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯାହାଙ୍କୁ ସେ ଭଗବାନ ମାନିଥିଲେ, ସେ ହିଁ ତାଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଛନ୍ତି।’

