Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ମଣ୍ଡିରେ ଝାଡ଼ଖଣ୍ଡ ଧାନ; ଟୋକନ ଦେବା ପୂର୍ବରୁ ମାତିଲେଣି ଦଲାଲ

ରାଉରକେଲା;୧୦|୧୨: ଧାନ ବିକ୍ରି ହେବା ପୂର୍ବରୁ ଦ୍ବନ୍ଦରେ ଅଛନ୍ତି ଚାଷୀ | ମଣ୍ଡିରେ ମାତିଛନ୍ତି ଦଲାଲ | ଓଡ଼ିଶା-ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ବ୍ଲକ ଅଧୀନରେ ଥିବା ଲ୍ୟାମ୍ପସ୍‌ଗୁଡ଼ିକରେ ଆସନ୍ତା ଡିସେମ୍ବର ୨୦ ତାରିଖ ପରେ ଖୋଲିବାକୁ ଯାଉଛି ମଣ୍ଡି। ଏହାପୂର୍ବରୁ ଚାଷୀମାନଙ୍କୁ ଦିଆଯିବ ଟୋକନ | ନାମ ପଞ୍ଜିକୃତ ହୋଇଥିବା ଚାଷୀମାନଙ୍କୁ ୩-୪ ଦିନ ପରେ ଧାନ ବିକ୍ରି ପାଇଁ ଟୋକନ୍‌ ଦିଆଯିବ। ଧାନ ବିକ୍ରି କିପରି ସୁରୁଖୁରୁରେ ହେବ ଏହାକୁ ନେଇ ଯୋଜନା କରାଯାଉଛି | ଏହାକୁ ତଦାରଖ କରିବା ପାଇଁ ଜଣେ ଲେଖାଏ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ମଧ୍ୟ ପ୍ରତିବର୍ଷ ପରି ଏଥର ବି ଟୋକନ ମିଳିବା ପୂର୍ବରୁ ମାତିଲେଣି ଦଲାଲ। ଚାଷୀଙ୍କ ଜରିଆରେ ଧାନ ବିକିବାକୁ ନିଜନିଜ ଗୋଦାମରେ ଗଦା କଲେଣି ଝାଡ଼ଖଣ୍ଡ ଧାନ। କିଛି ଦଲାଲ ଚାଷୀଙ୍କ ଠାରୁ ଧାନ ଆଗରୁ ଆଦାୟ କରି ରାଇସ୍‌ ମିଲ୍‌ରେ ରଖିବା ଆରମ୍ଭ କଲେଣି ।

ଅନ୍ୟପଟେ ଝାଡ଼ଖଣ୍ଡର ହୁର୍ଦ୍ଦା, ମନୋହରପୁର, ଓଡଗାଁ, ପାନିଆସାଲ୍‌, ବାଉଁଶଜୋର ଏମିତି ସୀମାକୁ ଲାଗିଥିବା ଅନେକ ବଜାର ଓ ଗାଁର ଆଦିବାସୀ ଚାଷୀଙ୍କୁ ଲୋଭ ଦେଖାଉଛନ୍ତି ଦଲାଲ | ଦଲାଲ କମ ଦରରେ ଧାନ କିଣି ସଂଗ୍ରହ କରି ରଖୁଛନ୍ତି। ତା’ ପୁଣି ୨ ହଜାରରୁ ୨୨୦୦ ଟଙ୍କାରେ। ଦଲାଲ ଧରା ନପଡ଼ିବାକୁ ଟ୍ରକ୍‌ ପରିବର୍ତ୍ତେ ଏବେ ପିକ୍‌ଅପ୍‌ ଗାଡିର ସାହାଯ୍ୟ ନେଉଛନ୍ତି। ଦଲାଲମାନେ ଧରାପଡ଼ିବା ଭୟରେ ଓଡ଼ିଶାକୁ ସଂଯୋଗ କରୁଥିବା ସିଧାରାସ୍ତାରେ ନ ଆସି ଗଳାବାଟ ଦେଇ ପ୍ରବେଶ କରୁଛନ୍ତି | ଟାଟା ଏସିରେ ଧାନ ଆସୁଥିବାରୁ ଯୋଗାଣ ବିଭାଗ କିମ୍ବା ଲ୍ୟାମ୍ପସ କର୍ମଚାରୀ ସହଜରେ ଜାଣିପାରୁନାହାନ୍ତି। ବିଳମ୍ବିତ ରାତିରେ ଓ ଭୋର୍‌ ସମୟରେ ଟାଟା ଏସିରେ ଶହଶହ କ୍ବିଣ୍ଟାଲ ଝାଡ଼ଖଣ୍ଡରୁ ଓଡ଼ିଶା ଭିତରକୁ ଆସି ସିଧାସଳଖ ରାଇସ୍‌ ମିଲ୍‌ ଓ ଦଲାଲଙ୍କ ଗୋଦାମରେ ପଶୁଛି। ଗତବର୍ଷ ଓଡ଼ିଶାର ଧାନ କ୍ବିଣ୍ଟାଲର ସର୍ବନମ୍ନ ସହାୟକ ଦାମ୍‌ ୩୧୦୦ ଟଙ୍କା ରହିଥିଲା। ତେବେ ପୂର୍ବ ଅପେକ୍ଷା କ୍ବିଣ୍ଟାଲ ପିଛା ୩୧୬୯ ଟଙ୍କାରେ ସରକାର ଧାନ କିଣିବାକୁ ଯାଉଛନ୍ତି।

ଦଲାଲମାନେ ଝାଡ଼ଖଣ୍ଡର ଲୋକାଲ ବଜାର ଓ ଚାଷୀଙ୍କ ଘରୁ ସିଧାସଳଖ କ୍ବିଣ୍ଟାଲ ପିଛା ୨ ହଜାର ଟଙ୍କାରେ ଉଠାଇ ଏହାପରେ ସମୟ ସୁବିଧା ଦେଖି ଏହାକୁ ଓଡ଼ିଶା ମଣ୍ଡିରେ ୩୧୬୯ ଟଙ୍କାରେ ବିକ୍ରି କରିବେ | ଅର୍ଥାତ୍‌ କ୍ବିଣ୍ଟାଲ ପିଛା ୧ ହଜାର ଟଙ୍କା ଲାଭରେ ବିକିବାକୁ ଯୋଜନା କରିଛନ୍ତି ଦଲାଲ । ନୂଆଗାଁ, କୁଆରମୁଣ୍ଡା, ବିଶ୍ରା ଓ ଲାଠିକଟା ଆଦି ବ୍ଲକରେ ଚାଷୀମାନେ ଗୋଟିଏ ଟୋକନ୍‌ରେ ୧୦ରୁ ୫୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ ବିକୁଥିବା ଦଲାଲମାନେ ଭଲ ଭାବେ ଜାଣିଛନ୍ତି।

ଏମିତି ବହୁତ ଚାଷୀ ଅଛନ୍ତି ଯେଉଁମାନେ କି ୨୦ରୁ ୩୦ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ୍‌ ପାଇବେ। ସେହି ଚାଷୀମାନଙ୍କୁ ଟାର୍ଗେଟରେ ରଖିଛନ୍ତି ଦଲାଲ। ସେମାନଙ୍କ କ୍ବିଣ୍ଟାଲ ପିଛା ୨୦୦ରୁ ୩୦୦ ଟଙ୍କା କମିସନ୍‌ ଦେବାର ଲୋଭ ଦେଖାଇ ସେମାନଙ୍କ ଜରିଆରେ ଝାଡ଼ଖଣ୍ଡ ଧାନକୁ ବିକି ଆସୁଛନ୍ତି। ଏଥର କିଛି ଓଡ଼ିଶା ଓ ଝାଡ଼ଖଣ୍ଡ ଦଲାଲ ମିଶି ପୂର୍ବବର୍ଷ ପରି ସମାନ ପ୍ରଣାଳୀ ଦୋହରାଉଛନ୍ତି। ଚାରିଟି ବ୍ଲକରେ ଯେଉଁମାନଙ୍କର କମ୍‌ ଧାନ ଅଛି, ସେମାନଙ୍କର ତାଲିକା ପ୍ରସ୍ତୁତ କରିସାରିଛନ୍ତି। ଟୋକନ୍‌ ମିଳିବା ପୂର୍ବରୁ ସେମାନଙ୍କୁ କିଛି କିଛି ଅଗ୍ରିମ ମଧ୍ୟ ଦେଇ ସାରିଲେଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ