Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଗିଲା ସାଙ୍ଘାତିକ ନିଆଁ ; ହୁତୁହୁତୁ ହୋଇ ଜଳିଗଲା ୩ ଦୋକାନ ୬ ଗାଡି ; ନିଆଁ ଲିଭାଇବା ପାଇଁ ନାକେଦମ ହେଲେ ଦମକଳ ବାହିନୀ

ବାଲିଅନ୍ତା;୧୪|୧୨: ଗୋଟିଏ ପରେ ଗୋଟେ ସ୍ଥାନରେ ଲାଗିଲା ନିଆଁ | ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଚନ୍ଦନବସ୍ତରେ ଜଣଙ୍କ ଘର ନିଆଁରେ ଜଳିଯାଇଛି | ଏହି ନିଆଁକୁ ରୋକିବା ପାଇଁ ଦମକଳ ବାହିନୀ ସେଠି ନିଆଁ ଲିଭାଉଥିବା ବେଳେ ମଝିଗଡ଼ରେ ଗାଡ଼ି ଜଳିଲା। ଦମକଳ ବାହିନୀ ମଝିଗଡ଼ରେ ପହଞ୍ଚି ନିଆଁ ଲିଭାଉ ନ ଲିଭାଉଁଣୁ, ଖବର ଆସିଲା ମଲ୍ଲିକ ସାହିରେ ଏକ ଜିପ୍ ଓ ଅଟୋ ହୁତୁହୁତୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ସେଠି ପହଞ୍ଚୁ ନ ପହଞ୍ଚୁଣୁ, ମାଟିକୋଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ନିଆଁରେ ଜଳିବାରେ ଲାଗିଛି |

ଏହାର କିଛି ସମୟ ବ୍ୟବଧାନରେ ଅଣ୍ଡିଲୋ ଥିବା ମୁସଲିମ ସାହିରେ ଏକ କାରରେ ନିଆଁ ଲାଗିଯାଇଥିଲା। ଦମକଳବାହିନୀ ସେଠି ନିଆଁ ଲିଭାଇବା ବେଳକୁ ରାତି ପାହି ସକାଳ ହୋଇଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତାରେ ଘଟିଥିବା ଅଗ୍ନିକାଣ୍ଡରେ ଜଣଙ୍କ ଘର, ୩ଟି ଦୋକାନ ଓ ୬ଟି ଗାଡ଼ି ପୋଡ଼ି ଛାରଖାର ହୋଇଯାଇଛି। ସେହିଭଳି ଅଗ୍ନିଶମବାହିନୀ ବେଣୁପୁରରୁ ବାଲିଅନ୍ତା ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାରେ ସାରାରାତି ବୁଲିବୁଲି ନିଆଁ ଲିଭାଇବାକୁ ଯାଇ ନାକେଦମ୍ ହୋଇଛି।ଏହି ଘଟଣା ଘଟାଇଥିବାର ଜଣେ ମହିଳାଙ୍କୁ ସନ୍ଦେହ କରାଯାଉଛି | ଏହି ଅଗ୍ନିକାଣ୍ଡ ଘଟାଇଥିବା ସନ୍ଦେହ କରି ବାଲିଅନ୍ତା ଥାନା ପୁଲିସ ତାଙ୍କୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ରୁ ଠାବ ହୋଇଥିବା ମହିଳାଜଣକ ଜଣେ ମାନସିକବିକାରଗ୍ରସ୍ତ ବୋଲି ଜଣାପଡ଼ିଛି। ମହିଳାଜଣଙ୍କର ବାପଘର ବାଲିଅନ୍ତା ଏବଂ ସେ ବେଣୁପୁରର ବୋହୂ ବୋଲି କୁହାଯାଉଛି। ମହିଳାଙ୍କଠାରୁ ଏକ ଦିଆସିଲି ଜବତ କରାଯାଇଛି।

ସୂଚନାନୁସାରେ ପ୍ରଥମେ ବେଣୁପୁର ପଞ୍ଚାୟତ ୩ନମ୍ବର ୱାର୍ଡସ୍ଥିତ ଚନ୍ଦନବସ୍ତ ଗ୍ରାମର ରବୀନ୍ଦ୍ର ଦାସଙ୍କ ଘରେ ନିଆଁ ଲାଗିଥିଲା। ପରିବାର ଲୋକେ ଘରେ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା। ମାତ୍ର ସୌଭାଗ୍ୟକୁ ନିଆଁ ପୂରା ଘରକୁ ବ୍ୟାପିବା ପୂର୍ବରୁ ରବୀନ୍ଦ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନାଙ୍କ ନିଦ ଭାଙ୍ଗିଯାଇଥିଲା। ଉପସ୍ଥିତ ବୁଦ୍ଧି ବଳରେ ସେ ପୁଅ ହୃଦାନନ୍ଦ, ବୋହୂ ନିର୍ମଳା ଓ ଦୁଇ ନାତିନାତୁଣୀଙ୍କୁ ବଞ୍ଚାଇ ପାରିଥିଲେ। ମାତ୍ର ରାତି ଅଧରେ ଜଳୁଥିବା ଚାଳ ଛପର ଘରକୁ ନିଆଁ ମୁହଁରୁ ରକ୍ଷା କରିପାରିଲେ ନାହିଁ। ପଡ଼ୋଶୀମାନେ ଚେଷ୍ଟା କରି ବି ନିଆଁକୁ ନିୟନ୍ତ୍ରଣ କରିପାରିଲେ ନାହିଁ।

ପାହାଳ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ରବୀନ୍ଦ୍ରଙ୍କ ଘରର ସମସ୍ତ ଆସବାସପତ୍ର ଓ ବିଦ୍ୟୁତ ଉପକରଣ, ବର୍ଷକ ପାଇଁ ସାଇତି ରଖିଥିବା ଖାଦ୍ୟଶସ୍ୟ, ପିନ୍ଧାଲୁଗା, ପିଲାଙ୍କ ବହିପତ୍ର ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ସେଠି ନିଆଁ ଲିଭାଇବା ପରେପରେ ଖବର ମିଳିଲା ଯେ ମଝିଗଡ଼ ସଞ୍ଜୟ ଜେନାଙ୍କ ଦୋକାନ ପାଖରେ ଥିବା ଓମିନି ଭ୍ୟାନ୍ ଜଳୁଛି। ଠିକ୍ ସେତିକିବେଳେ ବାଲିଅନ୍ତା ସାଇଫନ୍ ନିକଟରେ ଥିବା ୩ଟି ଦୋକାନ ଘର ଓ ମଲ୍ଲିକସାହିର ରାଜେଶ ମଲ୍ଲିକଙ୍କ ଘର ଆଗରେ ଥିବା ଥାର୍ ଓ ରାଜେଶଙ୍କ ପଡ଼ୋଶୀଙ୍କ ଅଟୋ ହୁତୁହୁତୁ ହୋଇ ଜଳୁଥିବା ଖବର ପ୍ରଚାରିତ ହେଲା। କିଛି ସମୟ ପରେ ମାଟିକୋଟର ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ସିମେଣ୍ଟ ଭର୍ତ୍ତି ଟ୍ରକରେ ନିଆଁ ଲାଗିଥିବା ଜଣାପଡ଼ିଲା। ଟ୍ରକରେ ୫୦ହଜାର ଟଙ୍କାର ସିମେଣ୍ଡ ପ୍ୟାକେଟ୍ ବୋଝେଇ ହୋଇ ରହିଥିଲା। ଅଗ୍ନିଶମ କର୍ମଚାରୀମାନେ ସେଠାରେ ନିଆଁ ଲିଭାଇବା ବେଳକୁ ନୂଆ ଟ୍ରକ୍ ଓ ସିମେଣ୍ଟ ପୋଡ଼ି ନଷ୍ଟା ହୋଇଯାଇଥିଲା। ଏତିକିବେଳେ ଅଣ୍ଡିଲୋ ମୁସଲିମ୍ ସାହିର ନୌସଦ୍ ଅଲ୍ଲୀଙ୍କ ଘର ସମ୍ମୁଖରେ ଥିବା କାରରେ ନିଆଁ ଲାଗିଯାଇଥିଲା।

ଗୋଟିଏ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ଏହି ସାଙ୍ଘାତିକ ଅଗ୍ନିକାଣ୍ଡ ଘଟଣା ପାଇଁ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ସନ୍ଦେହରେ ମାତ୍ର ସେହି ଜଣେ ମହିଳା ଅଛନ୍ତି | ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ପୋଲିସ ତାର ତଦନ୍ତ ଜାରିରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories