ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ନେବେ ବାସଭବନ; ଶାସକ ଦଳକୁ ଘେରିଲା ବିଜେଡି
ଭୁବନେଶ୍ୱର ୧୭।୧୨: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେବେ ଦିଲ୍ଲୀରେ ଏକ ବାସଭବନ | ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି | ତେବେ ସ୍ୱାଧୀନତା ପରଠାରୁ ଏହା ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଘର ନେବାକୁ ଯାଉଛନ୍ତି | ଏହା ପୂର୍ବରୁ ଆଉ କୌଣସି ମୁଖ୍ୟମନ୍ତ୍ରୀ ତାଙ୍କ ଶାସନକାଳ ସମୟରେ କେବେ ନେଇ ନାହାନ୍ତି | ହେଲେ ଏବେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବାସଭବନ ନେଉଛନ୍ତି। ଏହି କଥାକୁ ନେଇ ଶାସକ ଦଳକୁ ପୁଣି ଥରେ ଟାର୍ଗେଟ କରିଛି ବିଜେଡି |
ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଗଣାମଧ୍ୟମ ଜରିଆରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକାଳ ସମୟରେ ଦିଲ୍ଲୀରେ ଏଭଳି ବାସଭବନ ନେଇନଥିଲେ। କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି ସେ ପ୍ରଶ୍ନ ଉଠାଇଛନ୍ତି । ଏହାଦ୍ୱାରା ଓଡ଼ିଶାର ରାଜସ୍ବକୁ କ୍ଷତି ସହିବାକୁ ପଡିବ |ସେ ଆହୁରି ମଧ୍ୟ କହିଛନ୍ତି , “ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଚେୟାରରେ ବସିଥିଲେ। ସେ ମଧ୍ୟ ଦିଲ୍ଲୀ ଗଲାବେଳେ ତାଙ୍କୁ କେବେ ଆଉ ଗୋଟେ ଘର ଦରକାର ପଡୁନଥିଲା। ତେଣୁ ବିଜେଡ଼ି ଭାବୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ। ଏହାସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୋଲିସ ନେବାର ଅର୍ଥ ଦିଲ୍ଲୀ ପୋଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ।” ଏବେ ଏହି ପୋଲିସ ଦିଲ୍ଲୀରେ ରହିବା ଦ୍ୱାରା ଓଡ଼ିଶାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଭାବ ପଡିବ | ତିନି ମୂର୍ତ୍ତି ଲେନରେ ବିଜେପିର ଗୋଟେ ଗୋଷ୍ଠୀ ଆଉ ଗୋଟେ ପାୱାର ସେଣ୍ଟର ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଆସି ଏହି ପ୍ରଶ୍ନର ଉତ୍ତର ରଖନ୍ତୁ ବୋଲି ଲେନିନ କହିଛନ୍ତି | ବିଜେପି ମଧ୍ୟ ଏହି ଅଭିଯୋଗର ଜବାବ ରଖୁ ବୋଲି ସେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ କୌଣସି ସ୍ପଷ୍ଟୀକରଣ ରଖୁନଥିବା ବେଳେ କିଛି ସାମ୍ବାଦିକ ସୋସିଆଲ ମିଡ଼ିଆରେ ଏହାର ହିସାବ ନିସାବ କରୁଛନ୍ତି। ଏହା କେଉଁ ଭଳି ସାମ୍ବାଦିକତା ବୋଲି ଲେନିନ ପ୍ରଶ୍ନ କରିଛନ୍ତି ? ହୋଟେଲ ‘ମେ ଫେୟାର’ରୁ ପ୍ରତି ଦିନ ପ୍ରାୟ ୧୦୦ରୁ ଅଧିକ ମିଲ ଆସୁଛି। ଯାହାର ଗୋଟିଏ ଲେଖାଏଁ ମିଲର ମୂଲ୍ୟ ପ୍ରାୟ ୪୦୦୦ ଟଙ୍କା ପଡିଥାଏ। ଏବଂ ଏହା ଲୋକସେବା ଭବନର ୪୦୦ ମିଟର ସୀମା ଭିତରେ ବ୍ୟବହାର ହେଉଛି। ଏହା ସହିତ ଜୟସ୍ୱାଲ କିଏ? ଯିଏ କି ବର୍ତ୍ତମାନ ଓଡ଼ିଶାର ସୁପର ଚିଫ ମିନିଷ୍ଟର ସାଜିଛନ୍ତି। ଏବଂ ମୁଖ୍ୟମନ୍ତ୍ରୀ କିମ୍ବା ବିଜେପି ଏହି ସବୁ ଦ୍ଵନ୍ଦର ସ୍ପଷ୍ଟତା ରଖନ୍ତୁ ବୋଲି ଲେନିନ କହିଛନ୍ତି |

