ଅନୁ ଗର୍ଗ ହେଲେ ଓଡିଶାର ମୁଖ୍ୟ ଶାସନ ସଚିବ
ଓଡ଼ିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୧୯୯୧ ବ୍ୟାଚ୍ର ଆଇଏଏସ୍ ତଥା ଉନ୍ନୟନ କମିସନର ଅନୁ ଗର୍ଗ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେଉଛି।
ଶ୍ରୀମତୀ ଗର୍ଗ ଏବେ ଜଳସଂପଦ ଓ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ସେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ବରଗଡ଼, ସମ୍ବଲପୁର ଜିଲ୍ଲାପାଳ ରହିଥିଲେ। ଏହାସହ ସ୍ବାସ୍ଥ୍ୟ, ଶ୍ରମ ଓ ଅନ୍ୟ ବିଭାଗରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବାର ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ବରିଷ୍ଠତା ଭିତ୍ତିରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବିରେ ନିଯୁକ୍ତି ମିଳିଛି। ରାଜ୍ୟର ୪୭ତମ ମୁଖ୍ୟ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।
ଜାନୁଆରି ପହିଲାରୁ ଶ୍ରୀମତୀ ଗର୍ଗ ନୂଆ ଦାୟିତ୍ବ ସମ୍ଭାଳିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଆଜି ପ୍ରକାଶ ପାଇଛି। ୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ।

