କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ନିର୍ମମ ହତ୍ୟା
ନୂଆଦିଲ୍ଲୀ ୨୫।୧୨: ବିଦେଶରେ ପୁଣି ଜଣେ ଭାରତୀୟ ନାଗରିକଙ୍କ ହତ୍ୟା। ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସରେ ଏହି ହତ୍ୟାକାଣ୍ଡ ଘଟିଛି।
ସୂଚନା ଅନୁସାରେ, କାନାଡାରେ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସରେ ୨୦ ବର୍ଷ ବୟସ୍କ ଶିବାଙ୍କ ଅବସ୍ଥିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସୂଚନା ମୁତାବକ, ଶିବାଙ୍କକୁ ପ୍ରଥମେ ଗୁଳି କରାଯାଇଥିଲା। ଶିବାଙ୍କଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ଶେଷରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ।
ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ଅଧିକ ତଥ୍ୟ ସଂଗ୍ରହ ପାଇଁ ପୋଲିସ ଶିବାଙ୍କର ଫଟୋକୁ ଆଖ ପାଖ ଅଞ୍ଚଳରେ ସେୟାର କରିଛି। ଏପର୍ଯ୍ୟନ୍ତ ସେ ଛାତ୍ର ଥିଲେ କି ନା ତାହା ବିଷୟରେ ସ୍ପଷ୍ଟ ହୋଇନାହିଁ। ଅପରାଧିକ ଘଟଣାରେ ସାମିଲ ଥିବା ଆସାମୀଙ୍କୁ ପୋଲିସ ସନ୍ଧାନ କରୁଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଗୁଳିକାଣ୍ଡ ପରେ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ସ୍କାରବୋରୋ କ୍ୟାମ୍ପସକୁ ସିଲ୍ କରାଯାଇଛି। ପୋଲିସ ଛାତ୍ର ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ଘଟିଥିବା ଅଞ୍ଚଳକୁ ଯାଉଥିବା ରାସ୍ତା ଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି।
ତେବେ ଏହା ପୂର୍ବରୁ କାନାଡାରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ୩୦ ବର୍ଷୀୟ ହିମାଂଶୀ ଖୁରାନା ନାମକ ଜଣେ ମହିଳାଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ଆଉ ଏବେ ପୋଲିସ ଏହି ମାମଲାରେ ଟୋରଣ୍ଟୋ ନିବାସୀ ଅବଦୁଲ ଗଫୁରିଙ୍କୁ ସନ୍ଧାନ କରୁଥିବା ସୂଚନା ରହିଛି।

