ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ସମ୍ବଲପୁର, ୧୧. ୦୧():ବୁର୍ଲା ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ (ଆଲୁମନି ଆସୋସିଏସନ) ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବି ପତ୍ର ଦିଆଯାଇଛି। ୧୪ ଅକ୍ଟୋବର ୨୦୨୪ ତାରିଖରେ ଆୟୋଜିତ ବିଦ୍ୟାଳୟର ପ୍ଲାଟିନମ୍ ଜୁବିଲି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ପ୍ରେରଣାଦାୟକ ଥିବା ମନେପକାଇ ନୂତନ ଉତ୍ସାହ ଓ ଆତ୍ମବଳ ପ୍ରଦାନ କରିବାକୁ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି।
ଏହି ପ୍ରସଙ୍ଗରେ, ୭୫ ବର୍ଷର ପୁରୁଣା ଏହି ଶିକ୍ଷାନୁଷ୍ଠାନର ଶିକ୍ଷାଗତ ଉତ୍କୃଷ୍ଟତା ଓ ସୁପରିଚାଳନା ପାଇଁ ଛାତ ଆବରଣ ସ୍ଥାପନ, ଭବନର ଢାଞ୍ଚାଗତ ସୁରକ୍ଷା,
ପୁରାତନ ଛାତ୍ର ଭବନ,ପୁରାତନ ଛାତ୍ରମାନଙ୍କର ସଭା,ବିଭିନ୍ନ କାର୍ଯ୍ୟକ୍ରମ, ଛାତ୍ର ବିକାଶ ଓ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୫୦ ଆସନ ବିଶିଷ୍ଟ ଆଲୁମନି କୋଠା ନିର୍ମାଣ ପାଇଁ ଅନୁରୋଧ କରାଯାଇଛି।ଯାହାକି ଛାତ୍ରମାନଙ୍କୁ ଅନୁଭବୀ ବ୍ୟକ୍ତିମାନଙ୍କର ମାର୍ଗଦର୍ଶନ ମିଳିବାର ଏକ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ଏପରିକି ବିଦ୍ୟାଳୟ ଢାଞ୍ଚାଗତ ସୁବିଧାର ସୁଦୃଢ଼ିକରଣ ଓ ବିଦ୍ୟାଳୟର ସମସ୍ତ ଶ୍ରେଣୀକକ୍ଷ ପାଇଁ ଡେସ୍କ ଓ ବେଞ୍ଚ, ପ୍ରତ୍ୟେକ ଶ୍ରେଣୀକକ୍ଷ ଓ ଷ୍ଟାଫ୍ ରୁମ୍ ପାଇଁ ଶିକ୍ଷକଙ୍କ ଟେବୁଲ୍ ଓ ଚେୟାର, ଏବଂ ଲାଇବ୍ରେରୀ ପୁସ୍ତକ, ଲ୍ୟାବରେଟରୀ ସାମଗ୍ରୀ ଓ ଶିକ୍ଷାଗତ ଦଲିଲ ସୁରକ୍ଷିତ ରଖିବା ପାଇଁ ଆଲମାରୀ ଯୋଗାଇ ଦେବାକୁ ଏଥିରେ ଅନୁରୋଧ କରାଯାଇଛି।ଯାହାକି ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ହସ୍ତକ୍ଷେପ ଦ୍ୱାରା ଏହି ସର୍ବ ପୁରାତନ ବିଦ୍ୟାଳୟର ଶିକ୍ଷା ପରିବେଶ ଅଧିକ ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ଏହା ଏକ ଆଦର୍ଶ ଶିକ୍ଷା କେନ୍ଦ୍ର ଭାବେ ଉଦ୍ଭାସିତ ହେବ ବୋଲି ଆସୋସିଏସନ କହିଛି।
ଆଲୁମିନି ଆସୋସିଏସନ ଦ୍ୱାରା ଅଶୋକ ନିବାସ ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଓ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ସମୟରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ଓ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ I ଆଲୁମିନି ଆସୋସିଏସନ ତରଫରୁ ସଭାପତି ରାଜ କିଶୋର ଜାଯୋଡ଼ିଆ, ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ, କୋଷାଧକ୍ଷ ନୟନ କୁମାର ନାୟକ, ଆଡ଼ଭୋକେଟ ପ୍ରସନ୍ନ କୁମାର ସାହୁ, ହରିଶଙ୍କର ପଣ୍ଡା, ସୁବ୍ରତ ପଟ୍ଟନାୟକ, ଗୋପାଳ ପ୍ରଧାନ, ଜୟନ୍ତ କୁମାର ସାହୁ, ହିମାଂଶୁ କୁମାର ମେହେର, ଓ ଶୁଭକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

