Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮୫ ବର୍ଷ ବୟସ୍କ ଖାମେନେଇ ଦେଶ ଚଳାଇବାକୁ ଶାରୀରିକ ଏବଂ ମାନସିକସ୍ତରରେ ଅକ୍ଷମ ହୋଇପଡିଛନ୍ତି: ଟ୍ରମ୍ପ

ୱାଶିଂଟନ,୧୯|୧: ଇରାନ ବିରୋଧରେ ଆମେରିକା ଯେଉଁ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୂଟନୈତିକ ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି। ତେବେ ଏ କଥା ଅନୁମାନ ହେଉଛି ଗତ ଶନିବାର ଦେଇଥିବା ଟ୍ରମ୍ପଙ୍କ ଏକ ମନ୍ତବ୍ୟରୁ | ଯେଉଁଥିରେ ସେ କହିଛନ୍ତିଯେ, ଇରାନରେ ଆୟାତୋଲ୍ଲା ଖାମେନେଇଙ୍କ ନେତୃତ୍ବରେ ଏବେ ପରିବର୍ତ୍ତନ ଘଟିବାର ସମୟ ଆସିଛି। ଦୀର୍ଘ ୩୭ ବର୍ଷ ଧରି ଖାମେନଇ ଇରାନରେ ଇସ୍‌ଲାମିକ ଶାସନ ଚଳାଇ ଆସୁଛନ୍ତି। ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନରେ ଖାମେନେଇ ସରକାର ହିଂସାର ପଥ ଅନୁସରଣ କରୁଛନ୍ତି ଏବଂ ଏଥିରେ ସାଧାରଣ ଜନତା କେବଳ ନିର୍ଯାତନାର ଶିକାର ହେଉଛନ୍ତି | ଇରାନ ଯଦି ଆଜି ଧ୍ବଂସମୁଖକୁ ଅଗ୍ରସର ହେଉଥାଏ, ତେବେ ଏଥିପାଇଁ ଖାମେନେଇ ସମ୍ପୂର୍ଣ୍ଣ ଦାୟୀ ବୋଲି ଟ୍ରମ୍ପ କହିଛନ୍ତି। ତେବେ ଏଥିପାଇଁ ଇରାନବାସୀ ନାଗରିକଙ୍କ ଖାମେନେଇଙ୍କ ଶାସନକୁ ବିରୁଦ୍ଧ କରିବା ପାଇଁ ଉଚିତ ହେବ ବୋଲିସେ କହିଛନ୍ତି |

ଜଣେ ରାଷ୍ଟ୍ରନେତା ଜନସାଧାରଣଙ୍କ ପ୍ରିୟଭାଜନ ହେବା ଜରୁରୀ। ଖାମେନେଇଙ୍କ କାରଣରୁ ଇରାନରେ ଏପରି ଭୟର ବାତାବରଣ ସୃଷ୍ଟି ହୋଇଛି ବୋଲି ଟ୍ରମ୍ପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ, ୮୫ ବର୍ଷ ବୟସ୍କ ଖାମେନେଇ ଦେଶ ଚଳାଇବାକୁ ଶାରୀରିକ ଏବଂ ମାନସିକସ୍ତରରେ ଅକ୍ଷମ ହୋଇପଡିଛନ୍ତି | ଖାମେନେଇଙ୍କ ଯୋଗୁଁ ଇରାନରେ ବାସ କରିବା ଜନସାଧାରଣଙ୍କ ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ ପାଲଟିଛି। ଏହି ପରିସ୍ଥିତିରେ ଇରାନବାସୀଙ୍କୁ ଏହି ନର୍କ ଯନ୍ତ୍ରଣାରୁ ଉଦ୍ଧାର କରିବାର ସମୟ ଆସିଛି ବୋଲି ଟ୍ରମ୍ପ କହିଛନ୍ତି। ଅବଶ୍ୟ ଇରାନରେ ଟ୍ରମ୍ପଙ୍କ ନେତୃତ୍ବ କେଉଁ ପ୍ରକାରର ରହିବ, ସେ ନେଇ ଟ୍ରମ୍ପ କୌଣସି ସ୍ପଷ୍ଟ ମନ୍ତବ୍ୟ ପ୍ରକାଶ କରିନାହାନ୍ତି |

ଅନ୍ୟପଟେ, ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ଖାମେନେଇ କଡା ସମାଲୋଚନା କରିଛନ୍ତି। ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ଟ୍ରମ୍ପ ଅଯଥା ମୁଣ୍ଡ ଖେଳାଉଥିବା ସେ କହିଛନ୍ତି। ସେ ଟ୍ରମ୍ପଙ୍କ ଦୋ ମୁହାଁ ନୀତିକୁ ନିନ୍ଦା କରିଛନ୍ତି | ଟ୍ରମ୍ପ ଗୋଟିଏ ପଟେ ବିକ୍ଷୋଭକାରୀଙ୍କୁ ଉସ୍‌କାଉଥିବା ସମୟରେ ଅନ୍ୟପଟେ ଆମେରିକା ନିରପେକ୍ଷତା ଅବଲମ୍ବନ କରୁଛି ବୋଲି ପ୍ରଚାର କରୁଥିବା ସେ କହିଛନ୍ତି। ଭେନେଜୁଏଲାକୁ ନେଇ ଟ୍ରମ୍ପଙ୍କ ଯୋଜନା ସଫଳ ହେବା ପରେ ଟ୍ରମ୍ପ ନିଜକୁ ସର୍ବେସର୍ବା ମଣୁଛନ୍ତି ବୋଲି ଖାମେନେଇ କହିଛନ୍ତି। କିନ୍ତୁ ଟ୍ରମ୍ପଙ୍କର ଇରାନ ସମ୍ପର୍କିତ ସ୍ବପ୍ନ କଦାପି ସାକାର ହେବ ନାହିଁ ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ଖାମେନେଇ ଆହୁରି କହିଛନ୍ତି ଯେ, ସେ ଦେଶକୁ ଯୁଦ୍ଧ ମୁହାଁ କରିବାକୁ ଚାହୁଁନାହାନ୍ତି, ତେବେ ପ୍ରତିବାଦକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ