ଭଉଣୀର ରାକ୍ଷୀର ରଖିଲେ ମାନ! ଭଉଣୀକୁ ବଞ୍ଚାଇବାକୁ କୂଅକୁ ଡେଇଁ ପଡିଲେ ଭାଇ
ଢେଙ୍କାନାଳ,୨୮।୧: କୂଅ ଭିତରୁ ଉଦ୍ଧାର ହେଲେ ଭାଇ ଭଉଣୀ। କୂଅରୁ ପାଣି କାଢୁଥିବା ସମୟରେ ପଡିଗଲେ ଭଉଣୀ । ଆଉ ଭଉଣୀର ଜୀବନ ବଞ୍ଚାଇବାକୁ ଭାଇ ଡେଇଁଥିଲା କୂଅ ଭିତରକୁ। ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାରୁହାଁ ଗାଁରେ। ଉକ୍ତ ଗାଁର ଶ୍ରୀକାନ୍ତ ପରିଡାଙ୍କ ନାବାଳିକା ଝିଅ ଲକି ପରିଡା କୁଅରୁ ପାଣି କାଢୁଥିବା ବେଳେ କୁଅରେ ପଡିଯାଇଥିଲେ । କୂଅରେ ଭଉଣିକୁ ପଡିଯିବାର ଦେଖି ଭାଇ ସନ୍ଦୀପ ପରିଡା ଆଉ କିଛି ଚିନ୍ତା ନ କରି ସଙ୍ଗେ ସଙ୍ଗେ କୂଅକୁ ଡେଇଁ ଥିଲେ ଭଉଣୀର ଜୀବନ ବଞ୍ଚାଇବାକୁ ।
ତେବେ ଏହା ପରେ, ସ୍ଥାନୀୟ ଲୋକେ ମଧ୍ୟ ଭୁବନ ଦମକଳ ବାହିନୀକୁ ତୁରନ୍ତ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିବା ଜଣା ପଡ଼ିଛି। ଏହା ସହିତ ଉଭୟ ଭାଇ ଭଉଣୀଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଲକିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ଭାଇ ସନ୍ଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

