ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତି; ସମଗ୍ର ବିଶ୍ବ ସମେତ ଆମେରିକୀୟ ଜନସାଧାରଣଙ୍କ ଅସନ୍ତୋଷ
ନୂଆଦିଲ୍ଲୀ,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦେଶ ଉପରେ ଶୁଳ୍କ ଲଗାଇଛନ୍ତି । ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପଙ୍କ ଏହି ଟାରିଫ୍ ପ୍ଲାନକୁ ନେଇ ସାରା ବିଶ୍ବ ଟ୍ରମ୍ପଙ୍କ ଉପରେ ଅସନ୍ତୋଷ ଥିବାବେଳେ ଏବେ ନିଜ ଦେଶର ଜନତା ମଧ୍ୟ ଟ୍ରମ୍ପଙ୍କ ଉପରେ ଆଉ ବିଶ୍ୱାସ କରି ପାରୁନାହାନ୍ତି । ଦେଶର ଅର୍ଥନୀତିକୁ ନେଇ ସାଧାରଣ ନାଗରିକ ଙ୍କୁ ଚିନ୍ତା ଘାରିଲାଣି। ଟ୍ରମ୍ପ ପ୍ରଶାସନର ଏହି ଶୁଳ୍କ ନୀତି ଯୋଗୁଁ, ଆମେରିକୀୟ ଜନସାଧାରଣ ସରକାର ଏବଂ ଭବିଷ୍ୟତ ବିଷୟରେ ଅଧିକ ଚିନ୍ତିତ ହେଉଛନ୍ତି । ତେବେ ଟ୍ରମ୍ପଙ୍କ ଉପରେ ଏହି ଅସନ୍ତୋଷ ମୁଦ୍ରାସ୍ଫୀତିରେ ହ୍ରାସ, ଚାକିରିର ଅଭାବ ଏବଂ ସାଧାରଣ ଲୋକଙ୍କ ବିଶ୍ୱାସରେ ହ୍ରାସ ପାଇବା ଯୋଗୁଁ ହୋଇଛି ।
ସୂଚନା ଅନୁସାରେ, ୟୁଏସ୍ଏ କନଫ୍ରେନ୍ସ ବୋର୍ଡର କନଫିଡେନ୍ସ ଇନଡେକ୍ସ ହ୍ରାସ ହୋଇ ଜାନୁଆରୀ ୨୦୨୬ ରେ ୮୪.୫ କୁ ଖସି ଆସିଛି, ଯାହା ୨୦୧୪ ପରଠାରୁ ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ଜଣାପଡ଼ିଛି। ତେବେ ଏଥିରୁ ଜଣାପଡ଼ିଛିଯେ, ଆମେରିକୀୟ ଜନସାଧାରଣ ମାନେ କେବଳ ଅର୍ଥନୀତି ପ୍ରତି ନିରାଶ ନୁହଁନ୍ତି ବରଂ ଆଗାମୀ ଭବିଷ୍ୟତକୁ ନେଇ ବ୍ୟତିବ୍ୟସ୍ତ । ଲୋକମାନଙ୍କ କହିବା ଅନୁଯାୟୀ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ମୂଲ୍ୟରେ ଅତ୍ୟଧିକ ବୃଦ୍ଧି ହୋଇଗଲାଣି । ଘରୋଇ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ବାରମ୍ବାର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ବେଶି ପ୍ରଭାବ ପକାଇଛି । ଏଥିରେ ସାଧାରଣ ଲୋକ ବେଶି ପ୍ରଭାବିତ ହେଉଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ଟାରିଫର ପ୍ରଭାବ ଅନ୍ୟ ଦେଶମାନଙ୍କ ଉପରେ ପଡ଼ିବା ସହିତ ଆମେରିକା ମଧ୍ଯ ଏହି ଟାରିଫ୍ ସମସ୍ୟାର ସମ୍ମୁଖୀନ ହୋଇଛି ।

