ମହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ! ବିଦ୍ୟାଳୟ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ୍ ବଣ୍ଟନ
ନୂଆଦିଲ୍ଲୀ,୩୧।୧: ସୁପ୍ରିମ୍କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ! ମହିଳାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ସୁପ୍ରିମ୍କୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଶୁଣାଇଛନ୍ତି। ସୁପ୍ରିମ୍କୋର୍ଟଙ୍କ କହିବା ଅନୁସାରେ, ଋତୁସ୍ରାବ ସମୟରେ ସ୍ୱଚ୍ଛତା ଅଧିକାର ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଅଧିକାର ଓ ଗୋପନୀୟତା ଅଧିକାରର ଅବିଚ୍ଛେଦ୍ୟ ଅଂଶ। ମହିଳାମାନଙ୍କ ମର୍ଯ୍ୟାଦା, ସ୍ୱାସ୍ଥ୍ୟ ଓ ସମାନତାକୁ ଗୁରୁତ୍ୱାରୋପ କରି ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକୁ ଏକାଧିକ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ବିଦ୍ୟାଳୟ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ୍ ବଣ୍ଟନ ଏବଂ ପର୍ଯ୍ୟାପ୍ତ ପରିମଳ ସୁବିଧା ଯୋଗାଇ ଦେବା ସମ୍ପର୍କିତ ଏକ ମାମଲାର ଶୁଣାଣି କରିବା ସମୟରେ, ଆଜି ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଆର୍ ମହାଦେବନଙ୍କ ଦ୍ଵାରା ଗଠିତ ଖଣ୍ଡପୀଠରେ ଏହି ରାୟ ଦେଇଛନ୍ତି। ସୁପ୍ରିମ୍କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମାଗଣାରେ ଜୈବ-ବିଘଟନଯୋଗ୍ୟ ସାନିଟାରି ନାପକିନ୍ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ସ୍କୁଲରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁକୂଳ ଶୌଚାଳୟ ସହିତ ଛାତ୍ର ଓ ଛାତ୍ରୀଙ୍କ ପାଇଁ ପୃଥକ୍ ଶୌଚାଳୟ ନିର୍ମାଣ କରିବାକୁ କର୍ତ୍ତୃପକ୍ଷଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହା ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହା ବାଧ୍ୟତାମୂଳକ କରାଯିବ। ଯଦି କୌଣସି ଘରୋଇ ବିଦ୍ୟାଳୟ ଗୁଡ଼ିକ ପୃଥକ୍ ଶୌଚାଳୟ କିମ୍ବା ଛାତ୍ରୀମାନଙ୍କ ପାଇଁ ମାଗଣା ସାନିଟାରି ପ୍ୟାଡ୍ ଯୋଗାଇବାରେ ଅବହେଳା କରନ୍ତି,ତେବେ ସେମାନଙ୍କ ମାନ୍ୟତା ମଧ୍ୟ ବାତିଲ କରାଯାଇପାରେ।
ସୁପ୍ରିମ୍କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ସରକାର ଝିଅମାନଙ୍କୁ ଶୌଚାଳୟ ଓ ମାଗଣା ସାନିଟାରି ପ୍ୟାଡ୍ ଯୋଗାଇବାରେ ବିଫଳ ହୁଅନ୍ତି, ତେବେ କୋର୍ଟ ଏଥିପାଇଁ ସରକାର ଉତ୍ତରଦାୟୀ ରହିବେ। ମୌଳିକ ସୁବିଧାର ଅଭାବ ଓ ଋତୁସ୍ରାବ ସମ୍ପର୍କରେ ସାମାଜିକ କଳଙ୍କ ସିଧାସଳଖ ଝିଅମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗୋପନୀୟତା ଉପରେ ପ୍ରଭାବ ପକାଉଛି । ସୂଚନାଯୋଗ୍ୟ, ୨୦୨୫ ନଭେମ୍ବରରେ, ହରିୟାଣା କୋର୍ଟରେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ଏକ ମାମଲାର ବିଚାର କରିବା ପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଯେଉଁଠାରେ ତିନିଜଣ ମହିଳା ସଫେଇ କର୍ମଚାରୀଙ୍କୁ ମାସିକ ଋତୁସ୍ରାବ ହେଉଥିବା ନେଇ ପ୍ରମାଣ କରିବା ପାଇଁ ସେମାନଙ୍କର ସାନିଟାରି ପ୍ୟାଡ୍ର ଫଟୋ ଉଠାଇ ପଠାଇବାକୁ ବାଧ୍ୟ କରାଯାଇଥିଲା।
ଏହା ପରେ ଘଟଣାଟି ଦେଶବ୍ୟାପୀ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ୍ (ଏସ୍ସିବିଏ) ପକ୍ଷରୁ ଦାୟର ଏକ ମାମଲା ଉପରେ କେନ୍ଦ୍ରକୁ ନୋଟିସ୍ ଜାରି କରାଯାଇଥିଲା, ଯେଉଁଥିରେ ମହିଳା ଏବଂ ଝିଅମାନେ ଅପମାନଜନକ ଯାଞ୍ଚର ଶିକାର ହେବାର ଅନେକ ଉଦାହରଣ ବିଷୟରେ ଦର୍ଶାଯାଇଥିଲା। ପୂର୍ବ ଶୁଣାଣି ସମୟରେ କୋର୍ଟ କହିଥିଲେ ଯେ, ଯଦି ଜଣେ ମହିଳା ଋତୁସ୍ରାବଜନିତ ଯନ୍ତ୍ରଣା ଯୋଗୁଁ ଭାରି କାମ କରିପାରିବେ ନାହିଁ, ତେବେ ତାଙ୍କୁ ଅପମାନଜନକ ଯାଞ୍ଚର ସମ୍ମୁଖୀନ କରାଯିବା ବଦଳରେ ବିକଳ୍ପ ବ୍ୟବସ୍ଥା ଦିଆଯିବା ଆବଶ୍ୟକ । କିନ୍ତୁ ଏଭଳି ଅପମାନଜନକ ଯାଞ୍ଚ କରିବା ଉଚିତ୍ ନୁହଁ।

