‘ଡାହାଣୀ’ ଶବ୍ଦ ପ୍ରୟୋଗ ଅପରାଧ ଅଟେ! ଓଡ଼ିଶା ମାନବାଧିକାର କମିଶନରଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ (OHRC)
‘ଡାହାଣୀ’ ଶବ୍ଦ ପ୍ରୟୋଗ ଅପରାଧ। ଏନେଇ କଡ଼ା ନିର୍ଦ୍ଦେଶ ଶୁଣାଇଛନ୍ତି ଓଡ଼ିଶା ମାନବାଧିକାର କମିଶନ। ୨୦୧୮ ମସିହାର ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବାଧିକାର କମିଶନ(OHRC) ।
ଆବେଦନକାରୀଙ୍କ ଆବେଦନକୁ ଗ୍ରହଣ କରିବା ସହିତ ଆୟୋଗ ଓଡ଼ିଶା ଡାହାଣୀ ଶିକାର ନିବାରଣ ଆଇନ–୨୦୧୩ ଏବଂ ଏହାର ପରିଚାଳନା ପାଇଁ ୨୦୧୪ ମସିହାର କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ ର ସମ୍ପୂର୍ଣ୍ଣ ସମୀକ୍ଷା କରିଥିଲେ।
ଡାହାଣୀ ସଂପର୍କିତ କୁସଂସ୍କାରମୂଳକ ପ୍ରଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ପାଇଁ ବର୍ତ୍ତମାନ ଆଇନରେ ଦୃଢ ପଦକ୍ଷେପ ନେବାରେ ବ୍ୟବସ୍ଥାରେ ଅଭାବ ରହିଛି। ବିଶେଷକରି ଡାହାଣୀ ଅଭିଯୋଗ ଆଧାରରେ ମାନସିକ ନିର୍ଯାତନା, ସାମାଜିକ ବହିଷ୍କାର, ସମୁଦାୟରୁ ବାସନ୍ଦ ଓ ଅମାନବିକ ଆଚରଣକୁ ରୋକିବା ପାଇଁ ଆଇନରେ ସ୍ପଷ୍ଟ ପ୍ରତିରୋଧମୂଳକ ବ୍ୟବସ୍ଥା ଦର୍ଶାଯାଇ ନାହିଁ।
ଏ ସବୁ ସମସ୍ୟାକୁ ନଜରରେ ରଖି, ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା, ଆଇନକୁ ଲିଙ୍ଗ-ନିରପେକ୍ଷ କରିବା ଏବଂ ପ୍ରତିରୋଧ, ପୁନର୍ବାସ ଏବଂ ସଠିକ୍ଉ ନ୍ୟାୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି।
ଗୃହ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗକୁ ସଂଯୁକ୍ତ ଭାବେ କମ୍ପୋଜିଟ୍ ଆକ୍ସନ୍ ପ୍ଲାନ୍ ରେ ସଂଶୋଧନ କରିବା ସହିତ ସ୍ୱଳ୍ପମିଆଦୀ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନାରେ ସାମିଲ କରିବା ସହ ଅବହେଳା ପାଇଁ ଦାୟୀ ଥିବା ବ୍ୟକ୍ତିମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

