ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ! ସତ ହେବକି ଦିବ୍ୟଶଙ୍କର ମିଶ୍ରଙ୍କ ବୟାନ?
ଭୁବନେଶ୍ବର,୩୧|୧: ନବୀନ ନିବାସରେ କଳିକେଶ ନାରାୟଣ ସିଂହଦେଓ । ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ମିଳିପାରେ ବଡ ଦାୟିତ୍ଵ! ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଆଜି ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ନେତା କଳିକେଶ ନାରାୟଣ ସିଂହ ଦେଓ । ତାଙ୍କୁ ଦଳରେ ବଡ଼ ଦାୟିତ୍ଵ ମିଳିବା ନେଇ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ,କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଗତ ଦୁଇ ଦିନ ତଳେ ଦିବ୍ୟଶଙ୍କର ମିଶ୍ରଙ୍କ ଦେଇଥିବା ବୟାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେ କଳିକେଶ ନାରାୟଣ ସିଂହଦେଓଙ୍କୁ ନେତୃତ୍ବ ଦେବା ସପକ୍ଷରେ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଥିଲା । ଦେବେଶ ଆଚାର୍ଯ୍ୟ ମଧ୍ୟ କଳିକେଶଙ୍କ ନାଁ ସୁପାରିଶ କରିଥିଲେ। ଏହା ଉପରେ ଆଲୋଚନା ପାଇଁ ହୁଏତ କଳିକେଶଙ୍କୁ ନବୀନ ନିବାସରୁ ଡକାରା ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। କଳିକେଶଙ୍କ ସହିତ ନବୀନ ନିବାସରେ ଉପସ୍ଥିତ ରହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏବଂ ଦେବୀ ମିଶ୍ର । ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି ଏଣୁ କଳିକେଶ ସିଂହ ଦେଓଙ୍କୁ ଦଳ ରାଜ୍ୟସଭା ପଠାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

