ଆମ ବସ’ ସେବାରେ ନିଯୁକ୍ତ ହେବେ ମହିଳା ଡ୍ରାଇଭର!
ଭୁବନେଶ୍ୱର,୩୧।୧: ରାଜ୍ୟର ମହିଳାମାନେ ସଶକ୍ତିକରଣର ଆଉ ପାଦେ ଆଗକୁ ବଢିବାକୁ ଯାଉଛନ୍ତି । ମହିଳାଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏବେ ବସ ଚଳାଇବେ ମହିଳା ଡ୍ରାଇଭର । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍) ପକ୍ଷରୁ ‘ଆମ ବସ’ ସେବାରେ ନିଯୁକ୍ତ ହେବେ ମହିଳା ଡ୍ରାଇଭର । ନିଯୁକ୍ତ ହେବାକୁ ଥିବା ମହିଳା ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଯୋଜନା ହୋଇଛି । ଏନେଇ ଖାରବେଳ ଭବନ ଠାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ କ୍ରୁଟ୍ର ୨୦ ଜଣ ମହିଳା ଡ୍ରାଇଭରଙ୍କୁ ବିଶେଷ ପ୍ରଶିକ୍ଷଣ ପାଇଁ ମହାରାଷ୍ଟ୍ରର ପୁଣେ ସହରକୁ ପଠାଯିବ। ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଡ. ମହାପାତ୍ର ଏବଂ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ଉପସ୍ଥିତ ରହି ପୁନେ ଯିବାକୁ ଥିବା ମହିଳା ଡ଼୍ରାଇଭର ମାନଙ୍କୁ ଶୁଭେଛା ଜଣାଇଥିଲେ।
ଏହି ଅବସରରେ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ମହିଳାମାନେ ଆଜି ସବୁ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରୁଛନ୍ତି। ଏବଂ ସଫଳ ମଧ୍ୟ ହେଉଛନ୍ତି । ଯଦି ସଠିକ୍ ପ୍ରଶିକ୍ଷଣ ମିଳେ ତାହାଲେ ସେମାନେ ପରିବହନ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବା ସହିତ ନିଜର ଦକ୍ଷତା ପ୍ରମାଣ କରିପାରିବେ। ଏବେ ରାଜ୍ୟର ବିଭିନ୍ନ ସହରରେ ‘ଆମ ବସ’ ସେବାର ସମ୍ପ୍ରସାରଣ ଓ ଯାତ୍ରୀ ସୁବିଧା ଉପରେ ସରକାରଙ୍କ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ମହିଳା ପ୍ରାର୍ଥୀଙ୍କୁ ୧୪ ଦିନିଆ ଉନ୍ନତ ପ୍ରଶିକ୍ଷଣ ପାଇଁ ପୁଣେ ପଠାଯିବାର ଯୋଜନା ରହିଛି। ପୁଣେର ‘ଏକ୍ସା ମୋବିଲିଟି’ ଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେମାନେ ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ଚାଳିତ ବସ (ଇ-ବସ) ଚଳାଚଳ, ଉନ୍ନତ ଡ୍ରାଇଭିଂ କୌଶଳ, ଟ୍ରାଫିକ ନିୟମ, ସୁରକ୍ଷା ପ୍ରୋଟୋକଲ ଏବଂ ଯାତ୍ରୀ ସେବା ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିବେ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ସାଧାରଣ ପରିବହନ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ସହ ମହିଳା ଯାତ୍ରୀଙ୍କୁ ଅଧିକ ସୁରକ୍ଷିତ, ସୁବିଧାଜନକ ଏବଂ ଭରସାଯୋଗ୍ୟ ସେବା ପ୍ରଦାନ କରିବା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

