ସମସ୍ତଙ୍କ ମତାମତକୁ ଆଧାର କରି, ଓଡ଼ିଶାଲୋକଙ୍କ ହିତକୁ ଦୃଷ୍ଟିରେ ରଖି, ୨୦୨୬-୨୭ ବଜେଟ ହେବ‘ଲୋକଙ୍କ ବଜେଟ’ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆମ ସରକାର ହେଉଛି ଲୋକଙ୍କ ସରକାର । ଆମ ପାଇଁ ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର । ତେଣୁ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକ୍ରିୟା ଏବେ ସଚିବାଳୟରୁ ବାହାରି ଲୋକଙ୍କ ପାଖକୁ ଯାଇଛି । ଜନସାଧାରଣଙ୍କ ଠାରୁ ସେମାନଙ୍କ ବହୁମୂଲ୍ୟ ମତାମତ ଆହ୍ୱାନ କରି ଅନୁଧ୍ୟାନ ଓ ତର୍ଜମା ପରେ ବଜେଟରେ ସ୍ଥାନୀତ କରାଯାଉଛି । ଏହା ସବୁ ଦୃଷ୍ଟିରୁ ଲୋକଙ୍କ ବଜେଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରାକ୍ ବଜେଟ ପରାମର୍ଶ ସଭା ଅବସରରେ କହିଛନ୍ତି ।
ଲୋକସେବା ଭବନ କନ୍ଭେନସନ୍ ହଲ ଠାରେ ଆୟୋଜିତ ପ୍ରାକ୍ ବଜେଟ ପରାମର୍ଶ ସଭା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ୍ ବଜେଟ ପରାମର୍ଶ ଆଲୋଚନା କରିଛନ୍ତି ।
ନିକଟରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଜନମତରୁ ସଂଗ୍ରହ କରାଯାଇଥିଲା । ଆହୁରି ମଧ୍ୟ ଆଗକୁ କାର୍ଯ୍ୟକାରୀ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମ, କଟକ-ଭୁବନେଶ୍ୱର-ପାରାଦୀପ-ପୁରୀ ଅର୍ଥନୈତିକ କରିଡର ପରିକଳ୍ପନା ଜନମତରୁ ଆସିଛି । ଜନମତ ଆଧାରରେ ନୀତି, ଯୋଜନା କାର୍ଯ୍ୟକ୍ରମରେ ମଧ୍ୟ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଛି । ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ଘୋଷଣାକୁ ନେଇ ସମସ୍ତଙ୍କଠୁ ସୁଚିନ୍ତିତ ମତାମତ ଓ ପରାମର୍ଶ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ ।
ସେ ଆହୁରି କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ, ରୋଜଗାର ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ମିଳିଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ରାଜ୍ୟସରକାରଙ୍କ ମହିଳା ଓ କୃଷକମାନଙ୍କ ଲାଗି ନିଆଯାଉଥିବା ପଦକ୍ଷେପ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଚଳଚଞ୍ଚଳ କରିଛି । ୨୦୨୬-୨୭ ରେ ମଧ୍ୟ କେନ୍ଦ୍ର ବଜେଟରେ ମଧ୍ୟ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରାଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ଓଡ଼ିଶାକୁ ଦେଶରେ ପ୍ରାଥମିକତା ମିଳୁଛି ।
୨୦୨୬-୨୭ ବଜେଟ ପ୍ରସ୍ତୁତି ପାଇଁ ୱେବ୍ ପୋର୍ଟାଲ, ଇ-ମେଲ, ଏସ୍.ଏମ୍.ଏସ୍., ୱାଟସଅପ୍ ଜରିଆରେ ବହୁ ସଂଖ୍ୟାରେ ସୁଚିନ୍ତିତ ମତାମତ ଆସିବାରେ ଲାଗିଛି । ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ ।
ଆଜି ଏହି ବୈଠକରୁ ଯେଉଁ ସବୁ ସୁଚିନ୍ତିତ ପରାମର୍ଶ ମିଳିଛି, ବିଭାଗ ତାକୁ ରେକର୍ଡ କରି ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡ଼େଇ, ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ଶ୍ରୀ ଅର୍ଦ୍ଧେନ୍ଦୁ ଷଡ଼ଙ୍ଗୀ, ଏ.କେ. ତ୍ରିପାଠୀ, ଆର,ଏନ୍. ସେନାପତି, ଓଡ଼ିଶା ବ୍ୟବସାୟୀ ମହାସଂଘ, ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ, NGO ସଦସ୍ୟ, ଫିନ୍ଟେକ୍ର ସିଇଓ, ବିଭିନ୍ନ କ୍ଷେତ୍ରର ସମାଜସେବୀ, CREDAI ର Vice President, ବରିଷ୍ଠ ରାଜନେତା ସାରଦା ଶତପଥୀ, ସଜ୍ଜନ ଶର୍ମା, ମନୋଜ ମହାପାତ୍ରଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ସଚିବ ଶ୍ରୀ ସଞ୍ଜିବ କୁମାର ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

