କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଓ ଷ୍ଟେମ୍ ପ୍ରଦର୍ଶନୀ ଆୟୋଜିତ
କଳାହାଣ୍ଡି,୨୮/୦୨
ସ୍ଥାନୀୟ ଓୟୁଏଟି ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ରାଇଜିଂ ଫାଉଣ୍ଡେସନ ସହଯୋଗରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଓ ଷ୍ଟେମ୍ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ। ସମ୍ମାନିତ ଅତିଥି ଭାବେ ନିପୁଣ ଓଡ଼ିଶା ମୁଖ୍ୟ ସଂଯୋଜକ ଅମରଜିତ୍ ଜେନା, ଭବାନୀପାଟଣା ଓ.ୟୁ.ଏ.ଟି.ର ଡିନ୍ ପ୍ରଫେସର ସନ୍ଦୀପ୍ତ ନାୟକ, ଓଡ଼ିଶା ରାଇଜିଂ ଫାଉଣ୍ଡେସନର ନିର୍ଦ୍ଦେଶକ ସିଏଚ ଐଶ୍ୟ ପ୍ରକାଶ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ ଓ ତପିମଣି ଜାନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ। ତଳବେଲଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅତିଥିମାନେ ବାର୍ଷିକ ବିଜ୍ଞାନ ପତ୍ରିକା ‘ବିଜ୍ଞାନ ମାଣିକ୍ୟ’ ଉନ୍ମୋଚନ କରିବା ସହ ଷ୍ଟେମ୍ ପ୍ରଦର୍ଶନୀ-୨୦୨୬ ଉଦ୍ଘାଟନ କରିଥିଲେ। ଅତିଥି, ଗଣ୍ୟମାନ୍ୟ ବ୍ୟକ୍ତି ଓ ବିଚାରକମଣ୍ଡଳୀ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷୟିତ୍ରୀ ଦୀପ୍ତିମୟୀ ସିଂହଙ୍କ ନିର୍ଦ୍ଦେଶନାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଥୁଆପଦରର ଶିକ୍ଷାର୍ଥୀମାନେ ବିଜ୍ଞାନ ନାଟକ ‘ଅଗ୍ନିପୁତ୍ରି’ ପରିବେଷଣ କରିଥିଲେ। ପରେ ପରେ ଆୟୋଜିତ ଶିକ୍ଷକମାନଙ୍କ ସହ ମୁକ୍ତ ଆଲୋଚନା ଅଧିବେଶନକୁ ଶୁଭଲକ୍ଷ୍ମୀ ଦାଶ ଓ ଅଙ୍କିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶିକ୍ଷକ ଧର୍ମରାଜ ପ୍ରଧାନ (ବରଗଡ଼), ଟଙ୍କଧର ପ୍ରଧାନ (ବରଗଡ଼), ଅଶୋକ କୁମାର ବେହେରା (ନୂଆପଡ଼ା) ଓ ସନ୍ତୋଷ କୁମାର କର (କଳାହାଣ୍ଡି) ଅଂଶଗ୍ରହଣ କରିଥିଲେ। ଧର୍ମରାଜ ପ୍ରଧାନ ଓ ସମୀର କୁମାର ବେହେରା ଓରିଗାମି କର୍ମଶାଳା ପରିଚାଳନା କରିଥିଲେ। ମନୋନୀତ ଛାତ୍ର ପ୍ରତିନିଧି ଶୁଭଲକ୍ଷ୍ମୀ ସାହୁ ଓ ଆଶୁତୋଷ ମେହେର ମାନେ ନିଜର ମତାମତ ଉପସ୍ଥାପନ କରିଥିଲେ। ସେମାନଙ୍କ ସାକ୍ଷାତକାର ନେଇଥିଲେ ଶିକ୍ଷକ ତେଜେଶ୍ୱର ସାହୁ ଓ ଶିକ୍ଷୟିତ୍ରୀ ଲୋଟସ୍ ତ୍ରିପାଠୀ। ଏହି ଅବସରରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀଙ୍କ ଦ୍ୱାରା
ଜିଲ୍ଲା ବିଜ୍ଞାନ ଫୋରମ୍ ଓ ବ୍ଲକ୍ ବିଜ୍ଞାନ ଫୋରମ୍ ର ଗଠନ ଓ ଭୂମିକା ଉପରେ ଉପସ୍ଥାପନ କରିଥିଲେ। ଉଦଯାପନୀ ଅଧିବେଶନରେ କୃତୀ ପ୍ରତିଯୋଗୀ ଓ ଶିକ୍ଷକମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଓଡ଼ିଶା ରାଇଜିଂ ଫାଉଣ୍ଡେସନର ରାଜ୍ୟ ମୁଖ୍ୟ ସାଗରିକା ରାୟ, ଆଦିତ୍ୟ ଆଚାର୍ଯ୍ୟ, ପ୍ରଜ୍ଞା ପ୍ରମୁଖ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

