ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନର ସମକାଳୀନ ପ୍ରାସଙ୍ଗିକତା ଉପରେ ସେମିନାର ଓ ଡ. ସୁନୀତି ମୁଣ୍ଡଙ୍କ ପୁସ୍ତକ ଲୋକାର୍ପଣ।
କଳାହାଣ୍ଡି,୧୪ ମାର୍ଚ୍ଚ…
ନୂଆଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବ୍ ଅଫ୍ ଇଣ୍ଡିଆର ଡିପୁଟି ଚେୟାରମ୍ୟାନ ହଲ୍ରେ ଗୁରୁବାର “ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନର ପ୍ରାସଙ୍ଗିକତା” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶିଳ୍ପାୟନ ପବ୍ଲିଶର୍ସ ଏଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ପାର୍ଲିଆମେଣ୍ଟ ସଚିବ ଓ କମଳ ସନ୍ଦେଶ ପତ୍ରିକାର ସମ୍ପାଦକ ଶ୍ରୀ ଶିବଶକ୍ତି ନାଥ ବକ୍ସି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ନିଜ ଉଦବୋଧନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦକୁ ଭାରତୀୟ ଜୀବନ-ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଭାବଧାରା ବୋଲି କହିବା ସହିତ ଏହା ବ୍ୟକ୍ତି, ସମାଜ ଓ ରାଷ୍ଟ୍ରର ସମତାଳ ଉନ୍ନତିର ପଥ ପ୍ରଦର୍ଶନ କରେ ବୋଲି ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ ମାଧବେନ୍ଦ୍ର ସିଂହ (ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ, ଅଭ୍ୟୁଦୟ ୟୁଥ କ୍ଲବ୍) ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ “ଭାରତ” ଓ “ଇଣ୍ଡିଆ” ମଧ୍ୟରେ ଥିବା ପାର୍ଥକ୍ୟକୁ ଉଲ୍ଲେଖ କରି ସମାଜର କିଛି ଗୁରୁତ୍ୱପୂର୍ଣ୍ଣ ସତ୍ୟ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀ ଅବଧେଶ କୁମାର ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଡ ସୁନୀତି ମୁଣ୍ଡଙ୍କ ରଚିତ ଦୁଇଟି ପୁସ୍ତକର ଚିନ୍ତନଧାରା ଓ ସମକାଳୀନ ପ୍ରାସଙ୍ଗିକତାକୁ ଉଜାଗର କରିଥିଲେ।
କାର୍ଯ୍ୟକ୍ରମରେ ଡ ବିପିନ କୁମାର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେ ନିଜ ଉଦବୋଧନରେ କହିଥିଲେ ଯେ ଡ ମୁଣ୍ଡଙ୍କ ପୁସ୍ତକଗୁଡ଼ିକ ବର୍ତ୍ତମାନ ସମୟର ସାମାଜିକ ଓ ଚିନ୍ତନମୂଳକ ଆଲୋଚନାକୁ ନୂତନ ଦିଗ ଦେବାରେ ସମର୍ଥ।
ଏହି ଅବସରରେ ଲେଖକ ଡ ମୁଣ୍ଡଙ୍କ ପୁସ୍ତକ “ଲୋକ ସରୋକାର” ଓ “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ: ଜନନାୟକ”ର ଆନୁଷ୍ଠାନିକ ଲୋକାର୍ପଣ କରାଯାଇଥିଲା। ନିଜ ଉଦବୋଧନରେ ଡ. ମୁଣ୍ଡ କହିଥିଲେ ଯେ ଏହି ପୁସ୍ତକଗୁଡ଼ିକ ରଚନାର ଲକ୍ଷ୍ୟ ହେଉଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ବିଶାଳ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବା। ସେ କହିଥିଲେ ଯେ ଏହି ବିଷୟରେ ଆୟୋଜିତ ସେମିନାର ଗୁଡ଼ିକୁ ଆଗାମୀ ଦିନରେ କଲେଜ ଓ ଯୁବବର୍ଗଙ୍କ ମଧ୍ୟକୁ ନେବା ପାଇଁ ପ୍ରୟାସ କରାଯିବ।
ସେମିନାରରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମାଜିକ କର୍ମୀ, ସାମ୍ବାଦିକ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ବିକ୍ରମାଦିତ୍ୟ ସିଂହ “ଦୁଇଟି ପୁସ୍ତକ ଲୋକାର୍ପଣ–ସେମିନାର- ଅଭିଯାନ” ଭଳି ଏହି ସଂଯୁକ୍ତ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ୱାଗତ କରି ନିଜ ମତ ରଖିଥିଲେ।
କାର୍ଯ୍ୟକ୍ରମର ସଂଯୋଜନା ଶ୍ରୀ କପିଲ ଭରଦ୍ୱାଜ (ଶିଳ୍ପାୟନ ପବ୍ଲିଶର୍ସ ଏଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ) କରିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ଦର୍ଶକଙ୍କ ମତ ରଖିଥିଲେ ଶ୍ରୀ ବିକ୍ରମାଦିତ୍ୟ ସିଂହ । ଶେଷରେ ବରିଷ୍ଠ ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ଭାରତ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ। ରାଷ୍ଟ୍ରଗୀତ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। କାର୍ଯ୍ୟକ୍ରମର ସଂଚାଳନ ସ୍ୱୟଂସେବକ ରାଜୀବ ଲୋଚନ ଓଝା କରିଥିଲେ।

