ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ
ବାଲିଗୁଡା, ତା, ୧୪/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ପାବୁରିଆରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ ହୋଇଥିବା ଜଣାପଡିଛି। ତେବେ ସେହିପରି ରାଇକିଆ ବ୍ଲକର ପେଟାପାଙ୍ଗା ଗ୍ରାମପଂଚାୟତ ଡାମ୍ବା ଗ୍ରାମରେ ମଧ୍ୟ ଶୁକ୍ରବାର ରାତ୍ରିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟି ଥୂବା ବେଳେ ଆଜି ଶନିବାର ପ୍ରତ୍ୟୁଷରେ ଟିକାବାଲି ବ୍ଲକ ପାବୁରିଆ ଗ୍ରାମପଞ୍ଚାୟତ ତେନ୍ତୁଳୀ ସାହି ଗ୍ରାମର ଜଣେ ଯୁବକଙ୍କ ସିନ୍ଦୁର ପାଙ୍ଗା ଠାରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସହିତ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ମୃତକ ମାନେ ହେଲେ ପେଟାପାଙ୍ଗା ନିକଟସୁ ଡାମ୍ବା ଗ୍ରାମର ବାମଦେବ ପ୍ରଧାନ (୬୩), କୀର୍ତନ ବଗର୍ଷି (୭୦) ଓ ପାବୁରିଆ ସ୍ଥିତ ତେନ୍ତୁଳୀ ସାହି ଗ୍ରାମର ଦୁହିତ ପ୍ରଧାନ (୨୭) ବୋଲି ଜଣାପଡ଼ିଛି। ଘଟଣା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଡାମ୍ବା ଗ୍ରାମର ତିନି ଜଣ ବ୍ୟକ୍ତି ସନ୍ଧ୍ୟା ସମୟରେ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଫେରୁଥିବା ବେଳେ ଦନ୍ତା ହାତୀ ସମ୍ମୁଖରେ ପଡ଼ିଥିଲେ । ଏହି ସମୟରେ ହାତୀ ଦୁଇ ଜଣଙ୍କୁ କଚାଡି ମାରିଥିଲା। ଅନ୍ୟ ଜଣେ ସେଠାରୁ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜଣାଇ ଥୂଲା।ସେହିପରି ପାବୁରିଆ ଗ୍ରାମର ତିନି ଜଣ ବ୍ୟକ୍ତି ଆଜି ସକାଳୁ ୪ ଟା ସମୟରେ ନିକଟସୁ ସିନ୍ଦୁର ପାଙ୍ଗା ଜଙ୍ଗଲକୁ ହଳଦୀ ଖୋଳିବା ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ି ଥିଲେ।ଏହି ସମୟରେ ସାଙ୍ଗରେ ଥିବା ଦୁଇ ଜଣ ଯୁବକ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। ଘଟଣା ପରେ ଗ୍ରାମବାସୀ ପରିବାର ପକ୍ଷରୁ କ୍ଷତି ପୂରଣ ୫୦ ଲକ୍ଷ ଟଙ୍କା ଦାବୀ କରିଛନ୍ତି । ଘଟଣା ସ୍ଥଳରେ ବନ ବିଭାଗ ଓ ଦୁଇଟି ଥାନାର ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ସାରଙ୍ଗଗଡ଼ ଥାନାରେ ଏକ ଅପମୃତ୍ୟୁ ମାମଲା ନଂ. ୦୩/୨୬ ରୁଜୁ କରି ତଦନ୍ତ ଭାର ଏଏସଆଇ ଚତୁର୍ଭୁଜ ମଲ୍ଲିକ ଗ୍ରହଣ କରିଥିବା ଥାନା ଅଧିକାରୀ ସ୍ମିତା ଜେନା ପ୍ରକାଶ କରିଛନ୍ତି।

