କଳାହାଣ୍ଡିରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ,ବିଜିଏନ ଡିଭିଜନ ମାଓ ମୁକ୍ତ,ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ପାଇଁ DGP ଙ୍କ ଅପିଲ ।
କଳାହାଣ୍ଡି,୧୫/୦୩: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ରିଜର୍ଭ ପୋଲିସ୍ ପଡ଼ିଆ ଠାରେ ରବିବାର ଏକାସାଙ୍ଗରେ ୧୧ ଜଣ ମାଓବାଦୀ ନିଜ ଅସ୍ତ୍ର ଶସ୍ତ୍ର ସହ ଆତ୍ମ-ସମର୍ପଣ କରିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ସେମାନେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ମାଓବାଦୀଙ୍କ ପାଇଁ ଆତ୍ମ ସମର୍ପଣର ଡେଡ଼ ଲାଇନ ଥିବାବେଳେ, ଗତ ୬ ତାରିଖ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡିଶା ଆସି ଫେରିଛନ୍ତି । ଯାହାଫଳରେ ପୋଲିସ – ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଥିଲା । ଫଳରେ ବିଜିଏନ ଡିଭିଜନରେ ରହିଥିବା ସମସ୍ତ ୧୧ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ। ଏହାଦ୍ବାରା ବିଜିଏନଡିଭିଜନ ଏବେ ମାଓ ମୁକ୍ତ ହୋଇଛି। ରାଜ୍ୟରେ ଆହୁରି ୧୫ ଜଣ ମାଓବାଦୀ ରହିଥିବାବେଳେ, ଆସନ୍ତା ୩୧ ସୁଦ୍ଧା ସେମାନେ ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡିଜିପି ଖୁରାନିଆ ଅପିଲ କରିଛନ୍ତି। ରିଜର୍ଭ ପୋଲିସ୍ ପଡ଼ିଆ ଠାରେ ଆୟୋଜିତ ଏହି ସମାରୋହରେ ଏଡିଜେ ସଞ୍ଜୀବ ପଣ୍ଡା, ଆଇ ଜି ଦୀପକ କୁମାର, ଆଇଜି CRPF ଅମିତେନ୍ଦ୍ର ନାଥ ସିହ୍ନା, ଡିଆଇଜି ଅଖିଲେନ୍ଦ୍ର ସିଂହ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଏସପି ନାଗରାଜ ଦେବର କୋଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

