Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ଟି ଆମେରିକୀୟ ଟେକ୍ କମ୍ପାନି ଉପରେ ଇରାନର ଆକ୍ରମଣ ଧମକ!

ନୂଆଦିଲ୍ଲୀ ,୧|୪: ବର୍ତ୍ତମାନ ସମୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଯୁଦ୍ଧ ଏକ ଭୟଙ୍କର ରୂପ ନେଇଛି , ଯେଉଁଠାରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ମଧ୍ୟ-ପ୍ରାଚ୍ୟରେ କାର୍ଯ୍ୟରତ ଆପଲ୍, ଗୁଗଲ, ମାଇକ୍ରୋସଫ୍ଟ, ମେଟା, ଡେଲ, ଆଇବିଏମ୍ ଓ ଟେସଲା ଆଦି ପ୍ରମୁଖ ୧୮ଟି ଆମେରିକୀୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ବଡ଼ ଧରଣର ଆକ୍ରମଣ କରିବା ନେଇ ଧମକ ଦେଇଛି |

ସୂଚନା ଅନୁସାରେ ଏପ୍ରିଲ ୧ ତାରିଖ ରାତି ୮ଟା ପରେ ଏହି ସମସ୍ତ କମ୍ପାନି ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଘୋଷଣା କରିଛି | ଏହାସହିତ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ଯଥାଶୀଘ୍ର ସ୍ଥାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଏହି କମ୍ପାନି ଗୁଡ଼ିକ ଆମେରିକୀୟ ସେନାକୁ ଗୁପ୍ତଚର ତଥ୍ୟ ଯୋଗାଇବା ଓ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲି ଖେମିନିଙ୍କ ହତ୍ୟାରେ ସହଯୋଗ କରିଥିବା ଇରାନ ପକ୍ଷରୁ ଅଭିଯୋଗ କରିଛି | ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅନୁମାନ କରାଯାଉଛି ।

ଇରାନ ଦାବି କରୁଛିଯେ, ଆମେରିକୀୟ ଟେକ୍ ଏଜେଣ୍ଟମାନଙ୍କର କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଡାଟା ଆର୍କିଟେକଚର ସାହାଯ୍ୟରେ ସେମାନଙ୍କ ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ୍‌ କରାଯାଇଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରେ ଇରାନର ଡ୍ରୋନ୍ ଆକ୍ରମଣରେ ଆମାଜନର ଡାଟା ସେଣ୍ଟରଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ସେହି ଅଞ୍ଚଳରେ ବ୍ୟାଙ୍କିଙ୍ଗ ସେବାକୁ ପ୍ରଭାବିତ କରିଛି । ଏ ଘଟଣାରେ ଆମେରିକା ଶାନ୍ତି ଆଲୋଚନା ପାଇଁ କିଛି ଉଦ୍ୟମ କରିଥିଲା, କିନ୍ତୁ ଇରାନର ଏହି ପ୍ରତିଶୋଧମୂଳକ ଆଭିମୁଖ୍ୟ ମଧ୍ୟ-ପ୍ରାଚ୍ୟରେ ଥିବା ଆମେରିକାର ବିଲିୟନ ବିଲିୟନ ଡଲାରର ପୁଞ୍ଜିନିବେଶକୁ ପ୍ରଭାବିତ କରିଛି । ନିକଟରେ ଆମେରିକା ଯୁଦ୍ଧକୁ ୧୦ ଦିନ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଘୋଷଣା କରିଥିଲା | ତଥାପି ଇରାନର ରାଗ ଏ ପର୍ଯ୍ୟନ୍ତ ଶାନ୍ତ ପଡ଼ିନାହିଁ | କିନ୍ତୁ ଏହି ସଂଘର୍ଷ ଯଦି ଆଗକୁ ଜାରି ରୁହେ , ତେବେ ପାଲାଣ୍ଟିର ଭଳି ପ୍ରତିରକ୍ଷା ସଂସ୍ଥାଗୁଡ଼ିକ ସହ ଅନ୍ୟ ବୈଷୟିକ କେନ୍ଦ୍ରଗୁଡ଼ିକ ମଧ୍ୟ ଧ୍ୱଂସ ହେବାର ଆଶଙ୍କା ରହିଛି, ଯାହା ଦ୍ୱରା ବିଶ୍ୱ ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ