Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନ ବିରୋଧରେ ଆମେରିକା ରଚୁଛି ବଡ ଚକ୍ରାନ୍ତ : କରିପାରେ ଆକ୍ରମଣ!

ନୂଆ ଦିଲ୍ଲୀ, ୨/୪: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ବର୍ତ୍ତମାନ ଆଉ ଅଧିକ ଭୟଙ୍କର ଦିଗକୁ ଯାଉଛି । ଗୋଟେ ପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧକୁ ଶେଷ ପର୍ଯ୍ୟାୟରେ ଥିବା ବୋଲି ବ୍ୟାଖ୍ୟା କରୁଥିବା ବେଳେ, ଅନ୍ୟ ପଟେ ଇରାନ ଏହାକୁ ଆଉ ବଡ ଆକାର ଦେବାକୁ ରଣନୀତି ପ୍ରସ୍ତୁତ କରୁଛି । ଟ୍ରମ୍ପଙ୍କ କଥା ଅନୁସାରେ, ଆଗାମୀ ୨ରୁ ୩ ସପ୍ତାହ ମଧ୍ୟରେ ଇରାନ ଉପରେ ବଡ ଆକ୍ରମଣ କରିବ ଏନେଇ ଆମେରିକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେ ଏହା ମଧ୍ୟ କହିଛନ୍ତି ଯେ ଇରାନର ମିସାଇଲ, ଡ୍ରୋନ୍ ଓ ନୌସେନା ଶକ୍ତି ବହୁ ଅଂଶରେ ଦୁର୍ବଳ ହୋଇପଡ଼ିଛି ।

କିନ୍ତୁ ଏହା ପୂର୍ବରୁ ଇରାନ ପକ୍ଷରୁ ଏକ ନୂଆ ଚେତାବନୀ ଆସିଥିଲା, ଯାହା ଏହି ସଂଘର୍ଷକୁ ନୂଆ ଦିଗକୁ ନେଇଯାଇଥିଲା । ମଧ୍ୟପ୍ରାଚ୍ୟରେ କାର୍ଯ୍ୟରତ ଆପଲ୍, ଗୁଗଲ, ମାଇକ୍ରୋସଫ୍ଟ, ମେଟା, ଡେଲ, ଆଇବିଏମ୍ ଓ ଟେସଲା ସହିତ ମୋଟ ୧୮ଟି ଆମେରିକୀୟ ଟେକ୍ କମ୍ପାନୀକୁ ଲକ୍ଷ୍ୟ କରି ବଡ ଆକ୍ରମଣର ଧମକ ଦେଇଥିଲା । ତା’ ସହ ଇରାନ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଏହି କମ୍ପାନୀଗୁଡ଼ିକ ଆମେରିକା ସେନାକୁ ଗୁପ୍ତଚର ତଥ୍ୟ ଯୋଗାଏ ଏବଂ AI ଓ ଡାଟା ପ୍ରଯୁକ୍ତି ସାହାଯ୍ୟରେ ଇରାନର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ୍ କରିଥିଲେ । ବିଶେଷ କରି ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ଉପରେ ଆକ୍ରମଣରେ ସହଯୋଗ କରିଥିବା ଅଭିଯୋଗ ମଧ୍ୟ ଉଠିଛି । ସୂଚନା ଅନୁସାରେ, ଏପ୍ରିଲ ୧ ତାରିଖ ରାତି ପରେ ଏହି କମ୍ପାନୀମାନଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ଇରାନ ଚେତାବନୀ ଦେଇଥିଲା ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାନ ଛାଡ଼ିବାକୁ କହିଥିଲା । ଏଥିରୁ ସ୍ପଷ୍ଟ ଯେ, ଯୁଦ୍ଧ କେବଳ ସେନା ମଧ୍ୟରେ ନୁହେଁ ବରଂ ଏବେ ପ୍ରଯୁକ୍ତି ଓ ଅର୍ଥନୀତିକୁ ମଧ୍ୟ ଛୁଇଁଛି ।

ଏହି ସମସ୍ତ ଘଟଣା ମଧ୍ୟରେ ଆନ୍ତର୍ଜାତୀୟ ମଞ୍ଚରେ ଚିନ୍ତା ବଢ଼ିଛି । ବିଶେଷକରି ହର୍ମୁଜ ସମୁଦ୍ରପଥ ଅଞ୍ଚଳରେ । ଏହି ତନାବ ବଢ଼ିବାରୁ ବିଶ୍ୱ ବଜାରରେ ବ୍ୟାପାର ଓ ତେଲ ଉପରେ ପ୍ରଭାବ ପକାଉଛି । ଟ୍ରମ୍ପ ଯେଉଁଠାରେ କହୁଛନ୍ତି ଯେ ଆମେରିକାକୁ ମଧ୍ୟପ୍ରାଚ୍ୟର ତେଲ ଦରକାର ନାହିଁ, ସେଠାରେ ବିଶ୍ୱର ଅନେକ ଦେଶ ଏହି ଅଞ୍ଚଳ ଉପରେ ନିର୍ଭରଶୀଳ ରହିଛନ୍ତି । ତେଣୁ ଏହି ସଂଘର୍ଷ ଆଗକୁ ବଢ଼ିଲେ ବିଶ୍ୱ ଅର୍ଥନୀତିରେ ଗୁରୁତର ପ୍ରଭାବ ପଡ଼ିପାରେ। ରାଜନୈତିକ ଭାବେ ମଧ୍ୟ ଏହି ଯୁଦ୍ଧ ଏକ ନୂଆ ମୋଡ଼ ନେଇଛି । ଆମେରିକା ପୂର୍ବରୁ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ, ଇରାନ ଏହାକୁ ଗ୍ରହଣ କରିବାରେ ରୁଚି ଦେଖାଇନାହିଁ । ଏହା ସହିତ, ଆମେରିକା ଯୁଦ୍ଧକୁ କିଛି ସମୟ ପାଇଁ ସ୍ଥଗିତ କରିବାର କଥା କହିଥିଲା, କିନ୍ତୁ ଦୁଇ ପକ୍ଷର କଠୋର ମନୋଭାବ ଦେଖି ଏହା ସ୍ପଷ୍ଟ ଯେ ସଂଘର୍ଷ ଶିଘ୍ର ଶେଷ ହେବା ଭଳି ପରିସ୍ଥିତିରେ ନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ