ମଞ୍ଜୁଲତା ଓ ମୁକ୍ତିକାନ୍ତଙ୍କୁ ଦଳରୁ ସସ୍ପେଣ୍ଡ କଲା ବିଜେଡି
ଭୁବନେଶ୍ୱର, 7|4: ବିଜୁ ଜନତା ଦଳ ତାର ଦୁଇଜଣ ଜ୍ୟେଷ୍ଠ ନେତା ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସସ୍ପେଣ୍ଡ କରିଛି । ଦଳ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ, ଦୁଇଜଣଙ୍କୁ ‘ଦଳବିରୋଧୀ କାର୍ଯ୍ୟକଳାପ’ରେ ଜଡିତ ଥିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି ।ମଞ୍ଜୁଲତା ମଣ୍ଡଳ ଭଦ୍ରକର ପୂର୍ବତନ ସାଂସଦ ଏବଂ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ଥିଲେ । ସେହିପରି ମୁକ୍ତିକାନ୍ତ ମଣ୍ଡଳ ଧାମନଗରର ପୂର୍ବତନ ବିଧାୟକ ଓ ଭଦ୍ରକ ଜିଲ୍ଲାରେ ଦଳର ସକ୍ରିୟ ସଦସ୍ୟ ଭାବେ ପରିଚିତ ଥିଲେ । ଦଳ ଏହି ପଦକ୍ଷେପ ନେବା ପଛରେ ସଠିକ୍ କାରଣ ସ୍ପଷ୍ଟ କରିନଥିଲେ ମଧ୍ୟ, ଶୃଙ୍ଖଳା ରକ୍ଷା ପାଇଁ ଏହାକୁ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଭାବେ ଦେଖାଯାଉଛି । ଏହି ଘଟଣା ପରେ ମୁକ୍ତିକାନ୍ତ ମଣ୍ଡଳ ତାଙ୍କ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, ସେ ଦଳବିରୋଧୀ କୌଣସି କାମ କରିନାହାନ୍ତି ଓ ସସ୍ପେଣ୍ଡ କରାଯିବାର କାରଣ ସମ୍ପର୍କରେ ସେ ଅବଗତ ନୁହନ୍ତି । ଏହି ସସ୍ପେନ୍ସନ୍ ପଦକ୍ଷେପ ଭଦ୍ରକ ଜିଲ୍ଲାର ରାଜନୀତିରେ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି । ଆଗାମୀ ଦିନରେ ଏହାର ପ୍ରତିକ୍ରିୟା କେମିତି ହେବ ସେନେଇ ସମସ୍ତଙ୍କ ନଜର ରହିଛି ।

