ଯାତ୍ରା ଜଗତରେ ଏକ ଐତିହାସିକ ସଫଳତା: ନିଟ୍ ରେ ୭୫ ରାଙ୍କ୍ ରଖିଲେ ଅଭିନେତ୍ରୀ ରାଧା ପଣ୍ଡା
ଓଡିଶା, 10|4 : ଓଡ଼ିଶା ଯାତ୍ରା ଜଗତ ପାଇଁ ଗର୍ବର ଖବର । ଯାତ୍ରା ଅଭିନେତ୍ରୀ ରାଧା ପଣ୍ଡା ନିଟ୍ ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରି ସଭିଙ୍କର ମନ ଜିତିଛନ୍ତି । ସେ ସର୍ବଭାରତୀୟ ସ୍ତରରେ ୭୫ତମ ରାଙ୍କ୍ ଅଧିକାର କରିଛନ୍ତି । ଏହି ସଫଳତା ସହିତ ସେ ଯାତ୍ରା ଇତିହାସରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।
ରାଧା ପଣ୍ଡା ଏବେ ଏମ୍ସ ଭୁବନେଶ୍ଵରରେ ଏମ୍ ବି ବି ଏସ୍ ପଢିବେ ଓ ଆଗାମୀ ଦିନରେ କାର୍ଡିଓଲୋଜିରେ ପିଜି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ ୭୨୦ ମାର୍କରୁ ୭୧୬ ମାର୍କ ରଖିଛନ୍ତି । ଫିଜିକ୍ସ ଓ କେମେଷ୍ଟ୍ରିରେ ପୁରା ମାର୍କ ଓ ବାୟୋଲୋଜିରେ ମାତ୍ର ୪ ମାର୍କ କମ୍ ରହିଛି । ଯାତ୍ରା ଯାଜ୍ଞସେନୀର ମୁଖ୍ୟ ନାୟିକା ଥିବା ରାଧା ପଣ୍ଡା ଯୁକ୍ତ ଦୁଇ ପରେ ନିଟ୍ ପାଇଁ ପ୍ରସ୍ତୁତି ହେଉଥିଲେ । ଦିନରେ ପାଠପଢ଼ା ଓ ରାତିରେ ମଞ୍ଚରେ ଅଭିନୟ କରିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କିନ୍ତୁ ଦୀର୍ଘ ୫ ବର୍ଷର କଠିନ ପରିଶ୍ରମ ପରେ ସେ ଏହି ସଫଳତା ହାସଲ କରିଛନ୍ତି ।
ଏହି ଖବର ପରେ ଯାତ୍ରା ଜଗତରେ ଖୁସିର ଲହରୀ ସୃଷ୍ଟି ହୋଇଛି । ଯାତ୍ରା କଳାକାର ସଂଘର ସଭାପତି ବାପି ପଣ୍ଡା କହିଛନ୍ତି ଯେ, ଜଣେ କଳାକାର ଚାହିଲେ ସବୁ କିଛି କରିପାରେ । ସେହିପରି ଅନେକ ଯାତ୍ରା ମାଲିକମାନେ ମଧ୍ୟ ରାଧାଙ୍କୁ ପ୍ରେରଣାର ଉଦାହରଣ ବୋଲି କହିଛନ୍ତି । ରାଧା ପଣ୍ଡାଙ୍କ ସଫଳତା ଯୁବ ପିଢି ପାଇଁ ଏକ ବଡ଼ ପ୍ରେରଣା ହେବା ସହ ଯାତ୍ରା ଜଗତର ମର୍ଯ୍ୟାଦାକୁ ଆଉ ଉଚ୍ଚ କରି ଦେଇଛି ।

