ସାଲେପୁରରେ ଦୁଇ ବସ୍ର ମୁହାଁମୁହିଁ ଧକ୍କା: ୨୦ରୁ ଅଧିକ ଆହତ, ୧୦ ଗୁରୁତର
କଟକ, 11|4 : କଟକ ର ସାଲେପୁର ଥାନା ଅନ୍ତର୍ଗତ ଭାତପଡା ଛକ ନିକଟରେ ଆଜି ସକାଳେ ଦୁଇଟି ଘରୋଇ ବସ୍ ମଧ୍ୟରେ ଭୟାବହ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମୟରେ ଉଭୟ ବସ୍ରେ ୫୦ରୁ ଅଧିକ ଯାତ୍ରୀ ଥିବା ବେଳେ, ତାଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏଥିରୁ ୧୦ ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ କଟକର ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ‘ମହାଲକ୍ଷ୍ମୀ’ ଓ ‘ପପୁ’ ନାମକ ଦୁଇଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ । ଆଗାମୀ ଷ୍ଟପେଜକୁ ପ୍ରଥମେ ପହଞ୍ଚିବାକୁ ନେଇ ଡ୍ରାଇଭରମାନଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାବେଳେ, ଭାତପଡା ନିକଟରେ ‘ମହାଲକ୍ଷ୍ମୀ’ ବସ୍ ‘ପପୁ’ ବସ୍କୁ ଓଭରଟେକ୍ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଆହତ ଯାତ୍ରୀମାନେ କହିଛନ୍ତି ଯେ, ବସ୍ ମାଲିକମାନଙ୍କର ଟାଇମିଂ ଚାପ ଓ ଅଧିକ ଆର୍ଥିକ ଲାଭ ପାଇଁ ଡ୍ରାଇଭରମାନଙ୍କୁ ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ବାଧ୍ୟ କରାଯାଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ଯାତ୍ରୀମାନଙ୍କ ଜୀବନକୁ ବିପଦରେ ପକାଇ ଏଭଳି ପ୍ରତିଯୋଗିତାମୂଳକ ଚାଳନା ଉପରେ ପ୍ରଶାସନ ଶୀଘ୍ର କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

