ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡ: ସିଲିଣ୍ଡର ବିସ୍ଫୋରଣରେ ୩ ମୃତ, ଅନେକ ଆହତ
ମୁମ୍ବାଇ, 11|4 : ମୁମ୍ବାଇ ନିକଟବର୍ତ୍ତୀ ଭାୟନ୍ଦର ପୂର୍ବ ଅଞ୍ଚଳରେ ଥିବା ଏକ ବେଆଇନ ବସ୍ତିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଇନ୍ଦ୍ରଲୋକ ପୁଲିସ୍ ଷ୍ଟେସନ ନିକଟରେ ଲୋଧା କମ୍ପ୍ଲେକ୍ସ ପଛ ପଟେ ଥିବା ବସ୍ତିରେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ନିଆଁ ଶୀଘ୍ର ଆଖପାଖର ଘରଗୁଡ଼ିକୁ ବ୍ୟାପି ଯାଇଥିବାବେଳେ, ଘରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରଗୁଡ଼ିକ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିବାବେଳେ, ଅନେକ ଲୋକ ଆହତ ହୋଇଛନ୍ତି ।
ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁ କୁ ନିୟନ୍ତ୍ରଣରେ ଆଣିବାକୁ ଉଦ୍ୟମ କରିଥିଲେ । ବିପଦଜନକ ପରିସ୍ଥିତି ସତ୍ତ୍ୱେ, କର୍ମଚାରୀମାନେ ୨୯ଟି ଗ୍ୟାସ ସିଲିଣ୍ଡରକୁ ସୁରକ୍ଷିତ ଭାବେ ବାହାର କରିଥିଲେ । ଅଗ୍ନିକାଣ୍ଡରେ ଟିଣ ସେଡ୍ରେ ତିଆରି ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିବା ସହ କିଛି ଯାନବାହନ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି । ତେବେ ଏପର୍ଯ୍ୟନ୍ତ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନାହିଁ, ଏନେଇ ତଦନ୍ତ ଜାରି ରହିଛି ।

